ପ୍ରଥମ ଶ୍ରେଶୀରେ ନାମଲେଖା ବୟସ ଏଣିକି ୬ ବର୍ଷ
ଉକ୍ତ ରିପୋର୍ଟକୁ ଭଲ ଭାବରେ ଅଧ୍ୟୟନ କରିବା ପରେ କେନ୍ଦ୍ର ସରକାର ସଂଶୋଧିତ ଶିକ୍ଷାନୀତି ପ୍ରସ୍ତୁତ କରିଛନ୍ତି….
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତି ଅନୁସାରେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖିବା ପାଇଁ ପିଲାଟିର ବୟସ ୬ ବର୍ଷ ହେବା ଜରୁରୀ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସରକାରଙ୍କ ନିକଟକୁ ଚିଠି ଲେଖାଯାଇ ଚଳିତ ବର୍ଷରୁ ନୂଆ ଶିକ୍ଷାନୀତି ଅନୁସାରେ ନାମ ଲେଖାଇବାକୁ କୁହାଯାଇଛି । ନୂଆ ଶିକ୍ଷା ନୀତି ଯୋଗୁ ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଘଟିବ ବୋଲି କେନ୍ଦ୍ର ସରକାର ଆଶା ପ୍ରକାଶ କରିଛନ୍ତି ।
କମ ବୟସରୁ ଅଭିଭାବକଙ୍କ ଚାପରେ ପଡ଼ି କୋମଳମତି ପିଲାମାନେ ଶୈଶବକୁ ଠିକ ଭାବରେ ଉପଭୋଗ କରୁ ନଥିବାରୁ ପରିଣତ ବୟସରେ ସେମାନଙ୍କୁ ନାନା ମାନସିକ ରୋଗ ଆକ୍ରାନ୍ତ କରୁଛି ବୋଲି ଏକ ଡାକ୍ତରୀ ସର୍ବେକ୍ଷଣରୁ ଜଣାପଡ଼ିଛି । ଉକ୍ତ ରିପୋର୍ଟକୁ ଭଲ ଭାବରେ ଅଧ୍ୟୟନ କରିବା ପରେ କେନ୍ଦ୍ର ସରକାର ସଂଶୋଧିତ ଶିକ୍ଷାନୀତି ପ୍ରସ୍ତୁତ କରିଛନ୍ତି ।
ସରକାରଙ୍କ ନିଷ୍ପତିରେ ଅଧିକାଂଶ ଅଭିଭାବକଙ୍କ ମନରେ ନାନା ପ୍ରଶ୍ନ ଦେଖାଦେଇଛି । ପୂର୍ବରୁ ପ୍ରଥମ ଶ୍ରେଣୀରେ ନାମ ଲେଖା ବୟସ ୫ ବର୍ଷ ଥିଲା । ସଂଶୋଧିତ ଶିକ୍ଷାନୀତି ଅନୁସାରେ ଜୁଲାଇ ସୁଦ୍ଧା ୬ ବର୍ଷ ବୟସରେ ପଦାର୍ପଣ କରିଥିବା ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖିପାରିବେ । ସିବିଏସ୍ଇ ପୂର୍ବତନ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲିଙ୍କ ମତରେ ନୂଆ ଶିକ୍ଷାନୀତି ପିଲାଟିର ଶାରୀରିକ ଓ ବୌଦ୍ଧିକ ବିକାଶରେ ଯଥେଷ୍ଟ ସହାୟକ ହେବ ।