ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟକଳାପରୁ ବାଦପଡୁନି ଚୀନ । ପଡେ଼ାଶୀ ଦେଶଗୁଡ଼ିକ ଉପରେ ହାକିମାତି କରିବା ଚୀନର ପୁରୁଣା ଅଭ୍ୟାସ । ତିବ୍ବତ ଧର୍ମଗୁରୁ ଦଲାଇଲାମାଙ୍କ ବିରୋଧରେ ଗୁପ୍ତଚରଗିରି କରିବା ପାଇଁ ଚୀନ ଜଣେ ମହିଳାଙ୍କୁ ପ୍ରୟୋଗ କରିଛି ।
ସେହି ମହିଳା ଜଣକ ଏବେ ଭାରତରେ ଅବସ୍ଥାନ କରୁଥିବା ସନ୍ଦେହ ପ୍ରକାଶ ପାଇଛି । ନିକଟରେ ବିହାର ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି । ପୁଲିସ ସୂଚନା ମୁତାବକ ଶ୍ରଦ୍ଧାଳୁଙ୍କ ଗହଣରେ ରହି ଉକ୍ତ ମହିଳା ଦଲାଇଲାମାଙ୍କ ଉପରେ ତୀକ୍ଷ୍ମଣ ନଜର ରଖୁଥିଲେ ।
ଦଲାଇଲାମା ବିହାରର ବୋଧଗୟାରେ ଅବସ୍ଥାନ କରୁଛନ୍ତି । ବୋଧଗୟାର କାଳଚକ୍ର ପଡ଼ିଆରେ ଦଲାଇଲାମା ନିୟମିତ ପ୍ରବଚନ ଦିଅନ୍ତି । ସନ୍ଦିଗ୍ଧ ଚୀନି ମହିଳାଙ୍କ ନାମ ସଙ୍ଗ୍ ଶିଆଓଲନ୍ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଅଭିଯୁକ୍ତ ଚୀନି ମହିଳା ୨୦୧୯ରେ ଭାରତ ଆସିଥିଲେ । କିଛିଦିନ ଭାରତରେ ରହି ସେ ଚୀନ୍ ଫେରି ଯାଇଥିଲେ । ଦ୍ୱିତୀୟ ଥର ପାଇଁ ସେ ଭାରତକୁ ଆସି ପରେ ନେପାଳ ଚାଲି ଯାଇଥିଲେ । ନେପାଳରେ କିଛିଦିନ କଟାଇବା ପରେ ବୋଧଗୟାକୁ ଫେରିଥିଲେ ।