ଆମେରିକାର ପ୍ରଥମ ମହିଳାଙ୍କ ଅଚାନକ ୟୁକ୍ରେନ ଗସ୍ତ

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ରୁଷର ବିଜୟ ଦିବସ ପୂର୍ବରୁ ୟୁକ୍ରେନ ଉପରେ….

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ରୁଷର ବିଜୟ ଦିବସ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଆହୁରି ତୀବ୍ର କରିଦେଇଛି । ରୁଷିଆ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ ବାଇଡେନ୍‌ ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ରବିବାର ଅଚାନକ ୟୁକ୍ରେନରେ ପହଞ୍ଚିଛନ୍ତି । ଆମେରିକୀୟ ପ୍ରଥମ ମହିଳା ଜିଲ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କିଙ୍କୁ ଭେଟିଛନ୍ତି । ହ୍ୱାଇଟ ହାଉସ ଜିଲଙ୍କ ବାଇଡେନଙ୍କ ଏହି ଗସ୍ତ ଅଚାନକ ହୋଇଥିବା କହିଛି । ସୂଚନା ଅନୁସାରେ ଜିଲ ବାଇଡେନଙ୍କ ୟୁକ୍ରେନ ଯିବାର କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ନଥିଲା । ଜିଲ ବାଇଡେନ ପଶ୍ଚିମ ୟୁକ୍ରେନର ସ୍ଲୋଭାକିଆ ସୀମାରେ ନିକଟରେ ଥିବା ଏକ ଗାଁ ଉଜହୋରୋଡରେ ପହଞ୍ଚି ସେଠାକାର ଏକ ସ୍କୁଲରେ ଓଲେନା ଜେଲେନସ୍କିଙ୍କ ସହିତ କଥା ହୋଇଥିଲେ । ଜିଲ ବାଇଡେନ କହିଛନ୍ତି ଯେ, ମୁଁ ମଦର୍ସ ଡେ’ ଅବସରରେ ଏଠାକୁ ଆସିବାକୁ ଚାହୁଁଥିଲି । ଯେଉଁ ସ୍କୁଲରେ ଜିଲ ବାଇଡେନ ଓ ଓଲେନା ଜେଲେନସ୍କିଙ୍କ ମଧ୍ୟରେ ଭେଟ ହୋଇଥିଲା । ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ନିଜେ ୟୁକ୍ରେନ ଯିବାକୁ ଚାହୁଁଥିଲେ କିନ୍ତୁ ଗୁଇନ୍ଦା ଅଧିକାରୀମାନେ ଏଭଳି ନ କରିବାକୁ ପରାମର୍ଶ ଦେଇଥିଲେ ବୋଲି ଜଣାପଡିଛି ।