ମାଡ଼ ଖାଇଗଲା ସରକାରୀ ତଦନ୍ତକାରୀ ସଂସ୍ଥା

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଚାରି ଆସାମୀଙ୍କୁ ଖଲାସ କରି ଦିଆଗଲା….

ନୂଆଦିଲ୍ଲୀ: ୨୦୦୮ ମେ’ ମାସରେ ଜୟପୁରରେ ସଂଘଟିତ ସିରିଏଲ୍‌ ବୋମା ହମ୍‌ଲାରେ ୮ ଜଣ ମଲେ, ୧୮୫ ଜଣ ଖଣ୍ଡିଆ ଖାବରା ହେଲେ । ତଦନ୍ତକାରୀ ସଂସ୍ଥାର ଲମ୍ବା ତଦନ୍ତ ଓ କୋର୍ଟରେ ଲମ୍ବା ବିଚାର ପ୍ରକ୍ରିୟା ବାଟ ଦେଇ ୨୦୧୯ରେ ଜୟପୁରସ୍ଥିତ ନିମ୍ନ ଅଦାଲତ ଚାରିଜଣ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ମାତ୍ର ବୁଧବାର ରାଜସ୍ଥାନ ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ସବୁ ଆସାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ହାଇକୋର୍ଟ ତଦନ୍ତକାରୀ ସଂସ୍ଥାର ନିରପେକ୍ଷ ତଦନ୍ତ ପ୍ରତି ସନ୍ଦେହ କରି ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶକୁ ସହଜରେ ଗ୍ରହଣ କଲେନି ।

ସିରିଏଲ୍‌ ବୋମା ବିସ୍ଫୋରଣରେ ବ୍ୟବହୃତ ସାଇକେଲ ହିଁ ଆସାମୀଙ୍କୁ ଖସିଯିବାରେ ସାହାଯ୍ୟ କରିଛି । ଏବେ ଜାଣନ୍ତୁ ଅସଲ ମାମଲା । ସମୟ ୨୦୦୮ ମେ’ ୧୩ ତାରିଖ । ଗୋଲାପୀ ନଗର ଜୟପୁରର ଚାନ୍ଦପାଲ ବଜାର । ମଙ୍ଗଳବାର ଥିବାରୁ ଅନ୍ୟ ଦିନ ତୁଳନାରେ ସେଦିନ ସଂପୃକ୍ତ ଅଂଚଳଟି ଭିଡ଼ ଥିଲା । ଶ୍ରଦ୍ଧାଳୁମାନେ ହନୁମାନ ମନ୍ଦିରକୁ ଯିବା ଆସିବା କରୁଥିବାରୁ ଭିଡ଼ ଥିଲା । ସମୟ ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ହେବ । ହନୁମାନ ମନ୍ଦିରରେ ଘଂଟ-ଖୋଳତାଳ ବାଜୁଥିଲା । ତା’ରି ଭିତରେ ଲଗାତର ବୋମା ଧମାକା । ଲୋକମାନେ ବୁଝିବା ପୂର୍ବରୁ ଚାରିଆଡ଼ ଧୂଅାଁ ପୁରିଗଲା । ଦେଖୁଦେଖୁ ପ୍ରାୟ ୨୦ରୁ ଅଧିକ ମୃତଦେହ ଖଣ୍ଡବିଖଣ୍ଡ ହୋଇପଡ଼ିଛି ।

ରକ୍ତ ଜୁଡୁବୁଡୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାହା ମନରେ ସାମାନ୍ୟ ଅନୁକମ୍ପା ନାହିଁ । କେମିତି ରହିବ? ଆଖି ଆଗରେ ମୃତ୍ୟୁର ଆର୍ତ ଚିକ୍ରାର ଶୁଣି ଯେ ଯୁଆଡେ଼ ପାରିଲେ ପଳାଇବାକୁ ଉଦ୍ୟତ । ଗୋଟିଏ ସ୍ଥାନରୁ ଧମାକା ଶୁଣି ଅନ୍ୟ ବାଟେ ପଳାଇବାକୁ ଉଦ୍ୟମ କଲେ; କିନ୍ତୁ ସେ ବାଟେ ଖସି ପଳାଇବା ସମ୍ଭବ ନଥିଲା । ବଜାରକୁ ସଂଯୋଗ କରୁଥିବା ସବୁ ଛକରେ ସାଇକେଲ ଟାଇମ୍‌ ବୋମା ଖଞ୍ଜା ଯାଇଥିଲା । ଆତଙ୍କୀମାନେ ନୂଆ ସାଇକେଲ କିଣି ସେଥିରେ ଶକ୍ତିଶାଳୀ ବୋମା ଖଞ୍ଜିଥିଲେ । ବୋମା ଫୁଟିବା ପୂର୍ବରୁ ଶତାବ୍ଦୀ ଏକ୍ସପ୍ରେସରେ ନୂଆଦିଲ୍ଲୀ ପଳାୟନ କରିଥିଲେ ।

ମାତ୍ର ୧୬ ମିନିଟ୍‌ ଭିତରେ ଶକ୍ତିଶାଳୀ ଆଠଟି ଧମାକା । ନବମ ବୋମାଟି ଦେଢ଼ଘଂଟା ବିଳମ୍ବରେ ଫୁଟିବା ପାଇଁ ସମୟ ଦିଆଯାଇଥିବାରୁ ବୋମା ନିଷ୍କ୍ରିୟ ଦଳ ତାକୁ ସହଜରେ ଅକାମୀ କରି ଦେଇଥିଲେ । ରାଜସ୍ଥାନ ସରକାର ଆତଙ୍କୀ ନିବାରଣ ସ୍କ୍ୱାଡ୍‌ ଗଠନ କରି ତଦନ୍ତ ଭାର ପ୍ରଦାନ କଲେ । ଉକ୍ତ ମାମଲାରେ ପୁଲିସ ୧୩ ଜଣଙ୍କୁ ଅଭିଯୁକ୍ତ କଲା । ସେମାନଙ୍କ ଭିତରୁ ତିନିଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ତାଲିକାରେ ଅଛନ୍ତି । ୩ ଜଣ ଅଭିଯୁକ୍ତ ଦିଲ୍ଲୀ ଓ ହାଇଦ୍ରାବାଦ ଜେଲରେ ଅଛନ୍ତି । ଦୁଇଜଣ ଅପରାଧୀ ଦିଲ୍ଲୀ ବାଟ୍‌ଲା ହାଉସ୍‌ ଏନ୍‌କାଉଂଟରରେ ମୃତ୍ୟୁବରଣ କରିଛନ୍ତି । ଚାରିଜଣ ଅଭିଯୁକ୍ତ ଜୟପୁର ଜେଲରେ ଥିଲେ ।

ଜୟପୁର ନିମ୍ନ ଅଦାଲତ ୨୦୧୯ରେ ସେହି ଚାରିଜଣଙ୍କୁ ଦୋଷୀ ପ୍ରମାଣିତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ । ମାମଲା ରାଜସ୍ଥାନ ହାଇକୋର୍ଟକୁ ଗଲା । ଜଷ୍ଟିସ୍‌ ପଙ୍କଜ ଭଣ୍ଡାରୀ ଓ ଜଷ୍ଟିସ ସମୀର ଜୈନଙ୍କୁ ନେଇ ଗଠିତ ହାଇକୋର୍ଟ ଖଣ୍ଡପୀଠ ମାମଲାର ବିଚାର କରି କହିଲେ ଯେ ମେ’ ୧୩ ତାରିଖରେ ଆତଙ୍କୀମାନେ ଜୟପୁରକୁ ଆସିଲେ, ସାଇକେଲ କିଣିଲେ, ଟାଇମ୍‌ ବୋମା ଖଞ୍ଜିଦେଲେ ଏବଂ ସେଇଦିନ ଶତାବ୍ଦୀ ଏକ୍ସପ୍ରେସରେ ଚାଲିଗଲେ । ଏଇଟା ବିଶ୍ୱାସଯୋଗ୍ୟ ହେଉନାହିଁ । ତଦନ୍ତକାରୀ ସଂସ୍ଥା ଠିକ ଭାବେ ତଦନ୍ତ କରିଥିବାର ହୃଦବୋଧ ହେଉନାହିଁ । ତଦନ୍ତ ଅଧିକାରୀ ଠିକ ଭାବେ କିଛି ପ୍ରମାଣଯୋଗ୍ୟ ତଥ୍ୟ ଦାଖଲ କରି ନଥିବାରୁ ଚାରି ଆସାମୀଙ୍କୁ ଖଲାସ କରି ଦିଆଗଲା ।