ସାଧାରଣ ଲୋକ ଧୋତିକୁ କାଟି ରୁମାଲ କରିପାରିବେ । ମାତ୍ର ମହାନାୟକଙ୍କ ନିକଟରେ ରୁମାଲକୁ ଧୋତି କରିବା କଳାଟି ଅଛି । ଖାସ୍ ସେଇ ଦକ୍ଷତା ବଳରେ ମହାନାୟକ ତିନି ତିନିଥର ପ୍ରଧାନମନ୍ତ୍ରୀ ହେଲେଣି । ମହାନାୟକଙ୍କ ଭୁଲକୁ ଧରା ପକାଇବା ମନା । ମହାନାୟକଙ୍କ ଭୁଲକୁ ଠିକ ଭାବେ ପ୍ରମାଣ କରି ପାରୁଥିବା ବ୍ୟକ୍ତି ଓ ମହିଳା ଭାରି ପସନ୍ଦ ।
ଶୁଣିବାକୁ ମିଳୁଛି, ଆମ ମହାନାୟକ ଯୋଉଦିନ ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କଲେ, ସେହିଦିନ ଭାରତର ୧୪୬ କୋଟି ଲୋକ ପ୍ରକୃତ ସ୍ୱାଧିନତା ହାସଲ କଲେ । ଅର୍ଥାତ୍ ଆମ ମହାନାୟକ ପରାଧିନ ଭାରତରେ ଅଯୋଧ୍ୟା ରାମ ମନ୍ଦିରଟିର ଶିଳାନ୍ୟାସ କରିଥିଲେ ।
ଏ କଥା ଆମେ ନୁହେଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି । ମୋହନ ଭାଗବତଙ୍କ ମତରେ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ଲାଭ କରିବା କଥା ସଂପୂର୍ଣ୍ଣ ମିଛ । ଭାରତ ୨୦୨୪ ଜାନୁଆରୀ ୨୨ ତାରିଖରେ ସ୍ୱାଧିନତା ଲାଭ କଲା ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମୋହନ ଭାଗବତଙ୍କୁ ଭଗବାନ ମଣୁଥିବା ମହାନାୟକ ସବୁ ଶୁଣି ନିରବ ରହିବା । ମହାନାୟକ ହୈ ତୋ ମୁମ୍କିନ୍ ହୈ । ମହାନାୟକ ଚାହିଁଲେ ଭାରତର ଇତିହାସକୁ ବଦଳାଇ ଦେଇପାରିବେ ।