ନୂଆଦିଲ୍ଲୀ: ଆମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ବିନିମୟ ହାର କମିଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ଡଲାର ତୁଳନାରେ ଭାରତୀୟ ମୁଦ୍ରା ବିନିମୟ ହାର ୮୧ ଟଙ୍କା ୬୭ ପଇସାକୁ ଛୁଇଁଛି । ବିଗତ ବିନିମୟ ତୁଳନାରେ ୫୮ ପଇସା ଖସିଯାଇଛି । ଫଳରେ ନିବେଶକଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି । ଆନ୍ତର୍ଜାତିକ ବଜାର ଉପରେ ୟୁକ୍ରେନ ସଂକଟର ପ୍ରଭାବ ପଡ଼ିଛି ବୋଲି ଶୁଣିବାକୁ ପଡ଼ିଛି । ଆନ୍ତର୍ଜାତିକ ବଜାର ସମୀକ୍ଷକମାନେ କହିଛନ୍ତି ଯେ ବିଶ୍ୱ ବଜାରକୁ ଆମେରିକା ଡଲାର ନିୟନ୍ତ୍ରଣ କରୁଛି । ତା’ ଉପରେ ବେଶି ମାତ୍ରାରେ ରୁଷିଆ-ୟୁକ୍ରେନ ଯୁଦ୍ଧର କୁପ୍ରଭାବ ପଡ଼ିନି ।
ଅବଶ୍ୟ ବିଶ୍ୱ ବଜାରକୁ ଆସୁଥିବା ରୁଷିଆ ସାମଗ୍ରୀ ଏକପ୍ରକାର ବନ୍ଦ ହୋଇଯାଇଛି । ସେହିପରି ଆଗଭଳି ବିଶ୍ୱ ବଜାରରେ ବହୁଳ ପରିମାଣର ୟୁକ୍ରେନ ସାମଗ୍ରୀ ଦେଖିବାକୁ ମିଳୁନି । ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ଆନ୍ତର୍ଜାତିକ ବଜାର ଏକପ୍ରକାର ମାନ୍ଦାବସ୍ଥାକୁ ଚାଲିଯାଇଛି । ଭାରତ ଉପରେ ଉକ୍ତ ମାନ୍ଦାବସ୍ଥାର ପ୍ରଭାବ ବହୁଳ ଭାବେ ପରିଲକ୍ଷିତ ହୋଇଛି ।