ଜାହାଙ୍ଗୀରପୁରୀ ହିଂସା ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ କୁଶଳ ସିନେମା…
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ କୁଶଳ ସିନେମା ନିକଟରେ ହୋଇଥିବା ହିଂସାରେ ଦିଲ୍ଲୀ ପୋଲିସ ୨୧ ଜଣଙ୍କୁ ଗିରଫ କରିସାରିଛି । ଗିରଫ ଅଭିଯୁକ୍ତମାନେ ଶୋଭାଯାତ୍ରା ଉପରକୁ ପଥରମାଡ କରିଥିବା ନେଇ ପୋଲିସକୁ ସୂଚନା ମିଳିଛି । ଏପର୍ଯ୍ୟନ୍ତ ପୋଲିସକୁ ୧୦୦ ଭିଡିଓ ମିଳିଥିବା ବେଳେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ଘଟଣାର ତଦନ୍ତ ଦିଲ୍ଲୀ ପୋଲିସ ହାତରେ ଥିଲା ।
ସୂଚନାଯୋଗ୍ୟ ଯେ ହନୁମାନ ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ କରିଥିଲେ । ଏହା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ପଥରମାଡ ସହିତ ଖଣ୍ଡା ବୁଲିଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡି ନଥିଲେ । ଯେଉଁଥି ପାଇଁ ୬ ଜଣ ପୋଲିସ ଆହତ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି ।