ଉପସ୍ଥିତ ବୁଦ୍ଧି ଖଟାଇ ମାଙ୍କଡ଼ ହାବୁଡ଼ରୁ ଭଉଣୀକୁ ବଂଚାଇଲା ନାବାଳିକା
ବସ୍ତି: ୟୁପିର ବସ୍ତି ଅଂଚଳରେ ଜନୈକ ୧୦ ବର୍ଷର ନାବାଳିକା ଆଲେକ୍ସା ବ୍ୟବହାର କରି ନିଜେ ଓ ସାନ ଭଉଣୀକୁ ମାଙ୍କଡ଼ ହାବୁଡ଼ରୁ ବଂଚାଇବାକୁ ସକ୍ଷମ ହୋଇଛି । ତା’ର ଉପସ୍ଥିତ ବୁଦ୍ଧିକୁ ଲୋକମାନେ ତାରିଫ କରିଛନ୍ତି । ସୂଚନାରୁ ପ୍ରକାଶ, ବସ୍ତି ଅନ୍ତର୍ଗତ ଆୱାସ୍ ବିକାଶ କଲୋନୀରେ ୧୦ ବର୍ଷୀୟ ନିକିତା ଓ ତା’ ସାନ ଭଉଣୀ ବାମିକା ଘର ଭିତରେ ସୋଫା ଉପରେ ବସି ଖେଳୁଥିବା ସମୟରେ ୫/୬ଟି ମାଙ୍କଡ଼ ରୋଷେଇ ଘରେ ପ୍ରବେଶ କରି ବାସନପତ୍ର ଫିଙ୍ଗାଫିଙ୍ଗି କରିଥିଲେ । ରନ୍ଧାଖାଦ୍ୟ ନଷ୍ଟ କରିବା ସହିତ ବିକ୍ଷିପ୍ତ ଭାବେ ପକାଉଥିଲେ ।
ମାଙ୍କଡ଼ ହାବୁଡ଼ରୁ ସାନ ଭଉଣୀ ଓ ନିଜେ କିପରି ରକ୍ଷା ପାଇବ; ସେଇ କଥା ଚିନ୍ତା କରିବା ଭିତରେ ନିକିତାର ଆଖି ଫ୍ରିଜ ଉପରେ ରଖା ଯାଇଥିବା ଆଲେକ୍ସା ଡିଭାଇସ୍ ଉପରେ ପଡ଼ିଗଲା । ସେ ଆଲେକ୍ସାକୁ କୁକୁର ଭୋକିବା ଆୱାଜ ପାଇଁ ନିର୍ଦ୍ଦେଶ ଦେଲା । ନିକିତା ନିକଟରୁ ଆଦେଶ ପାଇ ଆଲେକ୍ସା କୁକୁର ଭଳି ଗର୍ଜନ କଲା । ମାଙ୍କଡ଼ ପଲ ଜୀବନ ବିକଳରେ ବାଲକୋନୀ ବାଟ ଦେଇ ପଳାୟନ କରିଥିଲେ ।
ଝିଅର ସାହସିକତା ଓ ଉପସ୍ଥିତ ବୁଦ୍ଧିକୁ ନିକିତାର ମା’ ସିପ୍ରା ଓଝା ତାରିଫ କରିଛନ୍ତି । ବୁଦ୍ଧି ଖଟାଇ ନଥିଲେ ନିକିତା ଓ ତା’ର ସାନ ଭଉଣୀର ଅବସ୍ଥା କ’ଣ ଯେ ହୋଇଥାନ୍ତା?