ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ସଂପର୍କୀତ ସତ ସାମ୍ନାକୁ ଆସିଛି । ସୋନାଲିଙ୍କ ବ୍ୟକ୍ତିଗତ ସଚିବ ସୁଧୀର ନିଜେ ହତ୍ୟା କରିଥିବା କଥା ପୁଲିସ ଆଗରେ ମାନିଛି । ସୁଧୀର ତା’ ବୟାନରେ କହିଛି ଯେ ଗୋଆରେ କୌଣସି ସୁଟିଂ ନଥିଲା । ସେ ମିଛ କହି ସୋନାଲିଙ୍କୁ ଗୋଆ ନେଇଥିଲେ କେବଳ ମାରିବା ପାଇଁ । ଅବଶ୍ୟ ଗୋଆ ଡିଜିପି ଜସପାଲ ସିଂହ ଅଭିଯୁକ୍ତ ସୁଧୀର ସାଙ୍ଗୱାନଙ୍କ ବୟାନକୁ ଆଧାର କରି ଆହୁରି କିଛି ରହସ୍ୟ ଖୋଲିବା ଚକ୍କରରେ ଅଛନ୍ତି ।
ପୁଲିସ ଦେଇଥିବା ସୂଚନା ମୁତାବକ, ସୁଧୀର ଉପରେ ସୋନାଲିଙ୍କର ଅଖଣ୍ଡ ବିଶ୍ୱାସ ଥିଲା । ବିଶ୍ୱାସର ସୁଯୋଗ ନେଇ ସୁଧୀର ଷଡ଼ଯନ୍ତ୍ର କରି ସୋନାଲିଙ୍କୁ ଗୁରୁଗ୍ରାମରୁ ଗୋଆକୁ ନେଇଥିଲା । ବହୁଦିନରୁ ତା’ର ନଜର ସୋନାଲିଙ୍କ ସଂପତି ଉପରେ ଥିଲା । ତାଙ୍କୁ ବାଟରୁ ହଟାଇ ଜମିବାଡ଼ି ଓ ବ୍ୟାଙ୍କ ଜମା ହାତେଇବା ପାଇଁ ସୁଧୀର ଯୋଜନା କରିଥିଲା । ଗୋଆ ପୁଲିସ ହାତରେ ଲାଗିଥିବା ପ୍ରମାଣଗୁଡ଼ିକ ସୁଧୀରକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ । ଖୁବ ଶୀଘ୍ର ପୁଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିବ ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ।