ଫେରୁଛନ୍ତି ନବୀନବାବୁ; ସ୍ୱାଗତ କରିବେନି ସାଧାରଣ ଜନତା

ପାଛୋଟି ନେବେ ୫୦ ପ୍ଲାଟୁନ୍‌ ପୁଲିସ, ୫୦ ହଜାର କର୍ମୀ

‘ଆମ ଧନ ଆମକୁ ଦେଲେ, ଅଧିକ କ’ଣ କଲେ’

ଭୁବନେଶ୍ୱର: ନୂଆଦିଲ୍ଲୀରେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରୁଛନ୍ତି । ମାତ୍ର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ଜଣେ ବି କୃଷକ, ଶ୍ରମିକ, ଶିକ୍ଷକ, ଦିନ ମଜୁରିଆ ଓ ସାଧାରଣ ଜନତା ଆଗ୍ରହ ପ୍ରକାଶ କରିନାହାନ୍ତି । ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି ଗୋଟିଏ କଥା; ଦୀର୍ଘ ୨୨ ବର୍ଷ କାଳ କ୍ଷମତାରେ ରହି ନବୀନ ପଟ୍ଟନାୟକ ଯାହା ସବୁ କରିଛନ୍ତି; ତାହା କେବଳ ଦଳ ଓ ଦଳର କର୍ମୀମାନଙ୍କ ପାଇଁ ଉଦ୍ଦିଷ୍ଟ । ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କରିନାହାନ୍ତି । କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା ଘୋଷଣା କରି ତଦନୁରୂପ ରାଜକୋଷକୁ ଲୁଟି ଚାଲିଛନ୍ତି । ରାଜକୋଷ ଲୁଟିବା ଛଡ଼ା ଆଉ କୌଣସି କାମକୁ ସୁଚାରୂ ରୂପେ ସମ୍ପାଦନ କରିନାହାନ୍ତି ।

ନିର୍ବାଚନ ଋତୁରେ ଲୋକଙ୍କ ଜମାଖାତାକୁ ଯେଉଁ ଟଙ୍କା ପଠାଯାଇଛି; ତାହା ସାଢେ଼ ଚାରିକୋଟି ଲୋକଙ୍କ ଝାଳବୁହା ଧନ । ନୂଅାଁଖାଇ ଅବସରରେ ଚାଷୀଙ୍କ ଜମାଖାତାକୁ ଯେଉଁ ଟଙ୍କା ପଠାଯାଇଛି; ତାହା ବିଜେଡି ପାଣ୍ଠିରୁ ନୁହେଁ; ସାଢେ଼ ଚାରିକୋଟି ଲୋକଙ୍କ ଝାଳବୁହା ଧନରେ ତିଆରି ରାଜକୋଷରୁ ଦିଆଯାଇଛି । ନବୀନବାବୁଙ୍କ ସଫଳତାରେ କେବଳ ବିଜେଡି ଉତ୍‌ଫୁଲ୍ଲିତ । ତେଣୁ ନବୀନବାବୁଙ୍କ ଭୁବନେଶ୍ୱର ଫେରିବା ବାଟକୁ ଚାତକ ପରି ଅନାଇ ରହିଛି ବିଜେଡି ।
ଦଳର ପ୍ରାୟ ୫୦ ହଜାର କର୍ମୀଙ୍କ ଗହଣରେ ନବୀନବାବୁ ବିମାନ ବନ୍ଦରରୁ ତାଙ୍କ ନିବାସକୁ ଯିବେ । ବିଜେଡି ମୁଖିଆଙ୍କୁ ବିମାନବନ୍ଦରରୁ ନବୀନ ନିବାସକୁ ନେବା ପାଇଁ ପ୍ରାୟ ୫୦ ପ୍ଲାଟୁନ ପୁଲିସ ମୁତୟନ କରାଯାଉଛି । କୋଭିଡ୍‌ ଋତୁ ପରେ ପ୍ରଥମ ଥର ପାଇଁ ବଡ଼ ଧରଣର ଶୋଭାଯାତ୍ରାର ଆୟୋଜନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭୟ ପାଇ ଜନତାଙ୍କୁ ହୀନ ମଣୁଥିବା ଦଳର ଅଭିଯୁକ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ସବୁଠାରୁ ବେଶି ଉତ୍ସାହିତ ଅଛନ୍ତି ।

ବିଜେଡିର ଏ ପ୍ରକାର ଆୟୋଜନକୁ ଦେଖି ସାଧାରଣ ଜନତା କୁହାକୁହି ହେଉଛନ୍ତି, ‘ବେଲ ପାଚିଲେ କାଉର କି ଯାଏ?’ ଜଣେ ରିପୋର୍ଟର ୟୁନିଟ୍‌-୬ସ୍ଥିତ ବିଜେଡି କାର୍ଯ୍ୟାଳୟ ନିକଟ ଛକରେ ଥିବା ଗୋଟିଏ ଦୋକାନୀକୁ ପଚାରିଲେ, ‘ତମ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପୁରସ୍କାର ପାଇ ଭୁବନେଶ୍ୱରକୁ ଫେରୁଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ତମେ ବିମାନ ବନ୍ଦରକୁ ଯିବ ନା ନାହିଁ ।’ ଦୋକାନୀ ଜଣକ ଟିକେ ମୁରୁକି ହସିଲା । ମାତ୍ର କିଛି କହିଲାନି । ପୁଣିଥରେ ରିପୋର୍ଟରଙ୍କଠାରୁ ସମାନ ପ୍ରଶ୍ନ ଶୁଣି କହିଲା, ‘ଯୋଉମାନଙ୍କୁ ସେ ମୁଣ୍ଡରେ ବସାଇଛନ୍ତି; ସେମାନେ ବିମାନ ବନ୍ଦରକୁ ଯିବେ । ଆମ ପାଇଁ ଯଦି କିଛି କରିଥିବେ; ଆମେ ଯିବୁ । ଆପଣ ରିପୋର୍ଟର; ସବୁ ଜାଣନ୍ତି । ସବୁ ଖବର ଆପଣଙ୍କ ପାଖରେ । ମୁଁ କ’ଣ କହିବି?’
ବିଜେଡିରେ ପ୍ରାୟ ୫୦ ଲକ୍ଷ କର୍ମୀ ଅଛନ୍ତି ବୋଲି ଦଳର ତୁଙ୍ଗନେତାମାନେ କହନ୍ତି; ମାତ୍ର ନବୀନବାବୁଙ୍କୁ ସ୍ୱାଗତ କରୁଛନ୍ତି ମାତ୍ର ୫୦ ହଜାର କର୍ମୀ । ଏଥିରୁ ଜଣାପଡୁଛି; ୫୦ ଲକ୍ଷ କର୍ମୀଙ୍କ ଭିତରୁ ମାତ୍ର ୫୦ ହଜାର ନେତା, ବିଧାୟକ, ସାଂସଦ ଓ କର୍ମୀମାନେ ନବୀନବାବୁଙ୍କ ଅନୁଗତ ।