କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଏନଆଇଏ ମୁଖ୍ୟ
ତେଣୁ ଏହି ସବୁ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ….
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମୁଖ୍ୟ ତଥା ମହାନିର୍ଦ୍ଦେଶକ ଦିନାକର ଗୁପ୍ତା । ଅମିତ ଶାହଙ୍କ ସରକାରୀ ବାସଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ସୂଚନା ମିଳିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦେଶରେ ପ୍ରଫେଟ ମହମ୍ମଦ ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ଏକାଧିକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଯାହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଏହି ହତ୍ୟାକାଣ୍ଡରେ ଆତଙ୍କବାଦୀ ଗୋଷ୍ଠୀର ହାତ ଥିବା ମଧ୍ୟ ପାରିପାର୍ଶ୍ୱିକ ଘଟଣାକ୍ରମରୁ ସ୍ପଷ୍ଟ ଅନୁମେୟ । ତେଣୁ ଏହି ସବୁ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ରାଜସ୍ଥାନର ଉଦୟପୁର ଓ ମହାରାଷ୍ଟ୍ର ଅମରାବତୀରେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାରୁ ନିର୍ମମ ହତ୍ୟାର ଶିକାର ହୋଇଛନ୍ତି ଦୁଇ ବ୍ୟକ୍ତି । ଏହି ଘଟଣାର ତଦନ୍ତ ସ୍ଥାନୀୟ ପୋଲିସ ପରିବର୍ତ୍ତେ ଜାତୀୟ ତଦନ୍ତକାରୀ ସଂସ୍ଥା ଜାରି ରଖିଛି । ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦେଶବ୍ୟାପୀ ଦାବି ଜୋର ଧରିଛି । ଏପରିସ୍ଥଳେ ଏହି ସବୁ ଘଟଣା ତଦନ୍ତର ଅଗ୍ରଗତି ନେଇ ସଂସ୍ଥା ମୁଖ୍ୟ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରିଥିବା ମଧ୍ୟ ଅନୁମାନ କରାଯାଉଛି ।