ବନ୍ଦ ହେଲା ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ : ଦୀର୍ଘବର୍ଷରୁ ଦିଲ୍ଲୀ ରାଜରାସ୍ତାରେ ଜାରି ରହିଥିବା ଚାଷି ଆନ୍ଦୋଳନ ସମାପ୍ତ ହୋଇଛି । ଏହି ଆନ୍ଦୋଳନ ଉଗ୍ରରୂପ ହେବା ପରେ ମୁଣ୍ଡ ନୁଆଁଇଥିଲେ କେନ୍ଦ୍ର ସରକାର । ୩ ନୂଆ କୃଷି ବିଲ ପ୍ରତ୍ୟାହାର ହୋଇଥିଲା । ଏହି କୃଷକ ଆନ୍ଦୋଳନ ଶେଷ ହେବା ନେଇ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଦୀର୍ଘ ସମୟ ବୈଠକ ପରେ ଚାଷୀମାନେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । କୃଷକ ନେତା ବଲବୀର ରାଜେୱାଲ କହିଛନ୍ତି, ଆମେ ସରକାରଙ୍କ ମୁଣ୍ଡ ନୁଆଁଇ ଘରକୁ ଫେରୁଛୁ । ଆସନ୍ତା ବର୍ଷ ଜାନୁଆରୀ ୧୫ରେ ଆଉ ଏକ ବୈଠକ ହେବ । ଯେଉଁଥିରେ ଆଗାମୀ ରଣନୀତି ବାବଦରେ ଆଲୋଚନା ହେବ ।

କୃଷକ ରାଜେୱାଲ କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି । ଚାଷୀମାନେ ଏବେ ଘରକୁ ଫେରିବେ । କିନ୍ତୁ ପ୍ରତିମାସରେ ଥରେ ବୈଠକ ହେବ । ଯଦି ସରକାର ଚାଷୀଙ୍କୁ ନେଇ କୌଣସି ବୈମାତୃକ ପୋଷଣ କରନ୍ତି ତେବେ ପୁଣି ଚାଷୀ ଆନ୍ଦୋଳନ ଆରମ୍ଭ ହେବାନେଇ ନିଷ୍ପତ୍ତି ନିଆଯିବ । ଆସନ୍ତା ୧୧ ତାରିଖରେ ଦିଲ୍ଲୀ ସମେତ ଦେଶର ଯେକୌଣସି ସ୍ଥାନରେ ଚାଷୀ ଆନ୍ଦୋଳନ ରହିଥିଲା ସେଗୁଡିକ ବନ୍ଦ କରାଯିବ । ଚାଷୀମାନେ ନିଜ ନିଜ ଘରକୁ ଫେରିଯିବେ ।

ଦିଲ୍ଲୀ ସୀମାରେ ଥିବା ଚାଷୀମାନେ ଘରକୁ ଫେରିବା ପାଇଁ ପ୍ରସ୍ତୁତି ହେଉଛନ୍ତି । ଗତ ବର୍ଷରୁ ଅଧିକ ସମୟ ଧରି ଧାରଣାରେ ବସିବା ପରେ ଏବେ ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ୩ ନୂଆ ଆଇନ ପ୍ରତ୍ୟାହାର କରିବା ଚାଷୀଙ୍କ ପ୍ରମୁଖ ଦାବି ଥିଲା ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟାହାର କରିନେଇଛନ୍ତି । ପଞ୍ଜାବର ୩୨ଟି କୃଷକ ସଂଗଠନ ଘରକୁ ଫେରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।