ମାର୍ଚ୍ଚ ୪ରେ ପୃଥିବୀ ନିକଟତର ହେବ ଗ୍ରହାଣୁ

ନ୍ୟୁୟର୍କ : ପୃଥିବୀ ଆଡକୁ ମାଡିଆସୁଛି ଏବଂ ବିଶାଳକାୟ ଗ୍ରହାଣୁ। ଏହାର ବ୍ୟାସ ପ୍ରାୟ ୧.୩ କିଲୋମିଟର ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି। ଫେବୃଆରୀ ୯ ଓ ୧୦ ତାରିଖରେ ସୂର୍ଯ୍ୟରୁ ଫିଲାମେଣ୍ଟ ଉଦ୍‍ଗିରଣ କାରଣରୁ ଭୂପୃଷ୍ଠରେ ଭୂଚୁମ୍ବକୀୟ ଝଡ ସୃଷ୍ଟି ହେବାଆକଳନ କରିଛନ୍ତି ବୈଜ୍ଞାନିକଗଣ। ଅବଶ୍ୟ ଏହାର ସାମାନ୍ୟ ପ୍ରଭାବ ଉପଗ୍ରହଗୁଡିକର କାର୍ଯ୍ୟକାରିତା, ଶକ୍ତି ଗ୍ରୀଡ ଉପରେ ପଡ଼ିପାରେ ବୋଲି ସେମାନେ ଦର୍ଶାଇଛନ୍ତି।

ଏ ସମ୍ପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା)ର ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଗ୍ରହାଣୁ ପୃଥିବୀ ଆଡକୁ ଆସୁଛି। ଏହାକୁ ଗବେଷକମାନେ ‘୧୩୮୯୭୧ (୨୦୦୧ ସିବି ୨୧)’ ଭାବରେ ନାମକରଣ କରିଛନ୍ତି। ଏହାର ଗତିପଥ ଉପରେ ନଜର ରଖିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଉକ୍ତ ଗ୍ରହାଣୁ ସୂର୍ଯ୍ୟ ଆଡକୁ ଅଗ୍ରସର ହେଉଥିବା ସମୟରେ ପୃଥିବୀର ନିକଟତର ହେବ। ଗ୍ରହାଣୁ ତାହାର କକ୍ଷପଥରେ ୪୦୦ ଦିନରେ ଥରେ ପ୍ରଦକ୍ଷିଣ କରୁଛି।

ପୂର୍ବରୁ ୨୦୦୬ରେ ଅନ୍ୟ ଏକ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହୋଇଥିଲା। ତେବେ ଏହି ଗ୍ରହାଣୁ ପୃଥିବୀ ପାଇଁ ବିପଜ୍ଜନକ ବୋଲି ଗବେଷକମାନେ କହିବା ସହିତ ଏହା ପୃଥିବୀଠାରୁ ୪୯,୧୧,୨୯୮ କିଲୋମିଟର ଦୂରତା ଦେଇ ଗତିକରିବ ବୋଲି ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଏହା ଆସନ୍ତା ମାର୍ଚ୍ଚ ୪ ତାରିଖ ଦିନ ପୃଥିବୀର ନିକଟତର ହେବ। ଏହା ପୃଥିବୀର କକ୍ଷପଥ ବାହାରେ ରହୁଥିବାରୁ ଏହାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କିଛି ଗବେଷକ ମତ ଦେଇଛନ୍ତି।

ଆସନ୍ତାକାଲି ଓ ତାହା ପରଦିନ ସୂର୍ଯ୍ୟରୁ ଫିଲାମେଟ ଉଦ୍‍ଗିରଣ କାରଣରୁ ଭୂଚୁମ୍ବକୀୟ ଝଡ ସୃଷ୍ଟି ହେବାକୁ ଯାଉଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚର ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ ଏହି ଝଡର ପ୍ରଭାବ ଭୂପୃଷ୍ଠରେ ପଡ଼ିବ, ତାହା ତାହା ତୁଳନାତ୍ମକ ଭାବରେ କମ୍‍ ରହିବ। ସୂର୍ଯ୍ୟ ପୃଷ୍ଠରେ ଏହି ଉଦ୍‍ଗିରଣ ତିନି ଘଣ୍ଟା ଧରି ଘଟିଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରିଛନ୍ତି। ତାହାର ପ୍ରଭାବ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ୧୫ରୁ ୧୮ ଘଣ୍ଟା ଲାଗିବ।