ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ସାବରମତୀ ଆଶ୍ରମ ପହଞ୍ôଚଛନ୍ତି । ଏହି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ସେ ଏକ ସୁନ୍ଦର ଦୁନିଆ ଗଢିବା ପାଇଁ ସତ୍ୟ ଓ ଅହିଂସାର ସିଦ୍ଧାନ୍ତ ଉପରେ ଜୋର ଦେଇଥିଲେ । ଏହି ଯାତ୍ରା ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହୃଦୟ କୁଞ୍ଜ ଯାଇଥିଲେ । ସେଠାରେ ଚରଖାରେ ସୂତା ମଧ୍ୟ କାଟିବାକୁ ଚେଷ୍ଟା କରିଥିଲେ । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଚରଖାର ପ୍ରତିବିମ୍ବ ଓ ସାବରମତୀ ଆଶ୍ରମ ସଂରକ୍ଷଣ ଓ ସ୍ମାରକ ନ୍ୟାୟ ତରଫରୁ ୨ଟି ବହି ଉପହାର ସ୍ୱରୂପ ଦିଆଯାଇଥିଲା ।
ଅନ୍ୟପକ୍ଷରେ ଶୁକ୍ରବାର ବୋରିସ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୟୁକ୍ରେନ-ରୁଷ ଯୁଦ୍ଧ ଜାରି ରହିଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାରତ ଆସିଛନ୍ତି । ତାଙ୍କର ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି । ଗତବର୍ଷ ଗଣତନ୍ତ୍ର ଦିବସରେ ଜନସନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ କୋରୋନା ଯୋଗୁଁ ତାଙ୍କର ଏହି ଭାରତ ଗସ୍ତ ବାତିଲ ହୋଇଯାଇଥିଲା ।