ସେପ୍ଟେମ୍ବର ୨୦ରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ସେପ୍ଟେମ୍ବର ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ ‘ନ୍ୟାସନାଲ ପିଏମ୍ ବିଶ୍ୱକର୍ମା’ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ପ୍ରମାଣ ପତ୍ର ଓ ଋଣ ବଣ୍ଟନ କରିବେ । ଏହି ଯୋଜନାରେ କଳାକାରମାନଙ୍କୁ ସହାୟତାର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ଅଧୀନରେ ୧୮ ପ୍ରକାରର ବ୍ୟବସାୟରେ ୧୮ ଜଣ ବ୍ୟବସାୟୀଙ୍କୁ ଋଣ ବଣ୍ଟନ କରିବେ । ସେମାନଙ୍କ ପରମ୍ପରା ଏବଂ ସମାଜ ପ୍ରତି ଥିବା ଅବଦାନକୁ ସମ୍ମାନ ଦେଇ ପିଏମ୍ ବିଶ୍ୱକର୍ମାର ଏକ ବର୍ଷ ପୂର୍ତ୍ତି ପାଇଁ ପ୍ରଧାନମନ୍ତ୍ରୀ ଏକ ସ୍ମରଣିକା ଡାକଟିକଟ ଉନ୍ମୋଚନ କରିବେ ।

ମହାରାଷ୍ଟ୍ରର ଅମରାବତୀରେ ପ୍ରଧାନମନ୍ତ୍ରୀ ପିଏମ୍ ମେଗା ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ରିଜନ୍ସ ଆଣ୍ଡ ଆପାରେଲ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିବେ । ରାଜ୍ୟ ସରକାରଙ୍କ ସଂସ୍ଥା ଭାବେ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ (ଏମ୍‌ଆଇଡିସି) ୧୦୦୦ ଏକର ବିଶିଷ୍ଟ ପାର୍କର ବିକାଶ କରୁଛି । ବୟନ ଶିଳ୍ପ କ୍ଷେତ୍ରରେ ୭ଟି ପିଏମ୍ ମିତ୍ର ପାର୍କ ପ୍ରତିଷ୍ଠା ସକାଶେ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି । ବୟନ ଶିଳ୍ପ କ୍ଷେତ୍ରରେ ନିର୍ମାଣ ଓ ରପ୍ତାନି କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତକୁ ଏକ ହବ୍‌ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ପିଏମ୍ ମିତ୍ର ପାର୍କଗୁଡ଼ିକୁ ପ୍ରତିଷ୍ଠା କରାଯାଉଛି । ଏହା ବୟନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ଭିତ୍ତିଭୂମି ପ୍ରତିଷ୍ଠା ସହ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସମେତ ବିପୁଳ ନିବେଶ ଟାଣିବ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ ଯୋଜନା’ର ଶୁଭାରମ୍ଭ କରିବେ । ୧୫ରୁ ୪୫ ବର୍ଷର ଯୁବକମାନଙ୍କୁ ଆତ୍ମନିର୍ଭର ହେବା ସହ ବିଭିନ୍ନ ନିଯୁକ୍ତି ସୁଯୋଗର ଫାଇଦା ନେବା ସକାଶେ ରାଜ୍ୟର କେତେକ ପ୍ରତିଷ୍ଠିତ କଲେଜରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ବର୍ଷ ରାଜ୍ୟରେ ୧,୫୦,୦୦୦ ଜଣ ଯୁବକ ମାଗଣା ଦକ୍ଷତା ବିକାଶ ପ୍ରଶିକ୍ଷର ପାଇବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ‘ପୂଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକାର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିବେ । ଏହି ଯୋଜନାରେ ମହାରାଷ୍ଟ୍ରରେ ମହିଳାଙ୍କ ଦ୍ୱାରା ପ୍ରତିଷ୍ଠିତ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ପ୍ରାରମ୍ଭିକ ସହାୟତା ପ୍ରଦାନ କରାଯିବ । ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯୋଜନାର ୨୫% ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହା ଯୋଗୁ ମହିଳାଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟ-ଅପ୍ ଗୁଡ଼ିକ ଆତ୍ମନିର୍ଭର ଓ ସ୍ୱାଧୀନ ହୋଇପାରିବେ ।