ଭାରତୀୟ ବାୟୁସେନାର ଆଧୁନିକୀକରଣ ପ୍ରକ୍ରିୟା ଆରମ୍ଭ
ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ ପରେ ସମସ୍ତ ଦେଶ ନିଜ ନିଜର ସାମରିକ ରଣନୀତିରେ ଆଧୁନିକୀକରଣ….
ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ ପରେ ସମସ୍ତ ଦେଶ ନିଜ ନିଜର ସାମରିକ ରଣନୀତିରେ ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହିକ୍ରମରେ ଭାରତ ମଧ୍ୟ ଖୁବଶୀଘ୍ର ବାୟୁସେନାର ଆଧୁନିକୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଭାରତୀୟ ବାୟୁସେନାର ପ୍ରମୁଖ ଲଢୁଆ ବିମାନ ସୁଖୋଇ ଏମକେ ଆଇର ଅପଗ୍ରେଡେସନ କରିବାକୁ ନିଷ୍ପତ୍ତି ନେଇଛି ବାୟୁସେନା । ଅନ୍ୟପଟେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୨ଟି ଉନ୍ନତ ବିମାନ କ୍ରୟ ପାଇଁ ହୋଇଥିବା ଚୁକ୍ତିରେ ମଧ୍ୟ ସାମାନ୍ୟ ବିଳମ୍ବ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି । କାରଣ ଏହି ଅତ୍ୟାଧୁନିକ ବିମାନରେ ଭାରତୀୟ ଯନ୍ତ୍ରାଂଶ ଓ ଜ୍ଞାନକୌଶଳକୁ ସାମିଲ କରିବା ପାଇଁ ଭାରତ ସରକାର ନିର୍ମାତା କମ୍ପାନୀଙ୍କ ସହ କଥା ହୋଇଥିବା ଯୋଗୁଁ ଏହି ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ମଧ୍ୟ ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ବର୍ତ୍ତମାନ ବିଶ୍ୱରେ ସାମରିକ ପରବର୍ତ୍ତନକୁ ଦୃଷ୍ଟିରେ ରଖି, ଭାରତୀୟ ବାୟୁସେନା ଏହାର ୮୫ ବିମାନକୁ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ନବୀକରଣ କରିବାକୁ ଯୋଜନା କରିଛି । ସୁଖୋଇ ବିମାନ ରୁଷ ନିର୍ମିତ ହୋଇଥିବା ହେତୁ ରୁଷ ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ମିଳିତ ସହଯୋଗରେ ଏହି ନବୀକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ବିମାନଗୁଡିକରେ ଶକ୍ତିଶାଳୀ ରାଡାର ଏବଂ ଅତ୍ୟାଧୁନିକ ବୈଦ୍ୟୁତିକ ଯୁଦ୍ଧ ଓ ଯୋଗାଯୋଗ ସରଞ୍ଜାମ ସହିତ ଏହାକୁ ନୂତନ ମାନକ ଅନୁଯାୟୀ ଅଧିକ ଶକ୍ତିଶାଳୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।