ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ସୋମବାର ୟୁକ୍ରେନ୍ର ଦୁଇଟି ବିଚ୍ଛିନ୍ନାଞ୍ଚଳ ଡୋନେସ୍କ୍ ଓ ଲୁହାନ୍ସ୍କକୁ ସ୍ୱାଧୀନ ରାଷ୍ଟ୍ରଭାବେ ଘୋଷଣା କରିସାରିଛନ୍ତି । ଏହାବ୍ୟତୀତ ୟୁକ୍ରେନ୍ର ଏହି ଅଞ୍ଚଳରେ ସକ୍ରିୟ ଥିବା ବିଦ୍ରୋହୀ ଶକ୍ତିଙ୍କୁ ସମର୍ଥନ ଜଣାଇବାକୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ରୁଷ୍ ପାର୍ଲାମେଣ୍ଟ ଇତିମଧ୍ୟରେ ପୁଟିନ୍କୁ ଅନୁମତି ଦେଇସାରିଛି । ଫଳରେ ପୁଟିନ୍ ଅଧିକ ଉତ୍ସାହିତ ହେବାସହିତ ୟୁକ୍ରେନ୍ ସୀମାର ଅତି ନିକଟରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିବାରେ ହେଳା କରୁନାହାନ୍ତି ।
ତଦନୁଯାୟୀ ବେଲାରୁଷ୍ର ଦକ୍ଷିଣପାଶ୍ୱର୍ ଏବଂ ୟୁକ୍ରେନ୍ ସୀମାକୁ ଲାଗିଥିବା ଏକାଧିକ ସ୍ଥାନରେ ରୁଷ୍ ତାହାର ସାମରିକ ଭିତ୍ତିଭୂମିକୁ ସୁଦୃଢ କରିବାରେ ଲାଗିଛି ବୋଲି ‘ମ୍ୟାକ୍ସାର’ ସଂସ୍ଥା ପକ୍ଷରୁ ବିଗତ ୨୪ ଘଣ୍ଟାରେ ସଂଗ୍ରହ କରାଯାଇଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଜଣାପଡିଛି। ଉପଗ୍ରହ ଚିତ୍ର ଅନୁଯାୟୀ ବେଲାରୁଷ୍ ଦକ୍ଷିଣରେ ମୋଜିର ସହର ନିକଟରେ ଥିବା ଛୋଟ ବାୟୁସେନା ଘାଟିରେ ରୁଷ୍ର ଶତାଧିକ ସାଞ୍ଜୁଆ ଯାନ ଚଳପ୍ରଚଳ କରୁଥିବାବେଳେ ୧୨ରୁ ଊର୍ଦ୍ଧ୍ୱ ସେନା ଶିବିର ପ୍ରତିଷ୍ଠା କରାଯାଇଛି । ଏହା ୟୁକ୍ରେନ୍ ସୀମାରୁ ମାତ୍ର ୪୦ କିମି ଦୂରରେ ଅବସ୍ଥିତ । ଏହାବ୍ୟତୀତ ଅଧିକ ସୈନ୍ୟ ମୁତୟନ କରିବାକୁ ପଶ୍ଚିମ ରୁଷ୍ର ପୋଚେପ୍ ଅଞ୍ଚଳରେ ବିରାଟ ସ୍ଥାନକୁ ଖାଲି କରାଯାଇଛି । ବେଲ୍ଗୋରଡ୍ ସହରର ଉପକଣ୍ଠରେ ରୁଷ୍ ପକ୍ଷରୁ ଏକ ଅସ୍ଥାୟୀ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଇଛି । ୟୁକ୍ରେନ୍ ସୀମାରୁ ମାତ୍ର ୨୦ କିମି ଦୂରରେ (ବେଲ୍ଗୋରଡ୍ ସହରର ଦକ୍ଷିଣ-ପଶ୍ଚିମରେ) ଅଧିକ ରୁଷୀୟ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ମୁତୟନ କରାଯାଇଥିବା ଉପଗ୍ରହ ଚିତ୍ରରୁ ଜଣାପଡିଛି ।