ଶ୍ରୀଲଙ୍କାରେ ପରିସ୍ଥିତି ଜଟିଳ

ସାଧାରଣ ଜନତାଙ୍କର ପ୍ରବଳ ବିରୋଧ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପଳାୟନ..

କଲମ୍ବୋ : ଶ୍ରୀଲଙ୍କାରେ ଦୀର୍ଘଦିନ ଧରି ଭୟଙ୍କର ଆର୍ଥିକ ସଂକଟ ଜାରି ରହିଥିବାବେଳେ ଏବେ ଦେଶ ଛାଡ଼ି ପଳାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପାକ୍ଷେ । ସାଧାରଣ ଜନତାଙ୍କର ପ୍ରବଳ ବିରୋଧ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପଳାୟନ କରିଛନ୍ତି । ରାଷ୍ଟ୍ରପତି ବାସଭବନରେ ପଶି ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିବା ପରେ ରାଜପାକ୍ଷେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ଦିନକୁ ଦିନ ଏଠି ପରିସ୍ଥିତି ବିଗିଡିବାରେ ଲାଗିଛି । ଦରଦାମ ମୂଲ୍ୟ ଆକାଶଛୁଆଁ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିବାରୁ ଦେଶରେ ଅନାହାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରଦର୍ଶନ କରୁଛନ୍ତି । ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ଘରକୁ ଘେରିବା ସହ ଭଙ୍ଗାରୁଜା କରିଥିଲେ । ସେମାନେ ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ । ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିଜ ବାସଭବନ ଛାଡ଼ି କେଉଁଆଡେ ପଳାଇ ଯାଇଥିବା କୁହାଯାଉଛି ।

ଏହି ବିରୋଧୀ ପ୍ରଦର୍ଶନରେ କେବଳ ଛାତ୍ର ନୁହନ୍ତି ଧାର୍ମିକ ନେତା, ରାଜନୈତିକ ଦଳ, ଶିକ୍ଷକ, କୃଷକ, ଚିକିତ୍ସକ ଓ ମାଛଧରାଳୀ ଏବଂ ସାମାଜିକ କାର୍ଯ୍ୟକର୍ତା ମଧ୍ୟ ସାମିଲ ଅଛନ୍ତି । ଶ୍ରୀଲଙ୍କାରେ ସେନାବାହିନୀ ଏକପ୍ରକାରରେ ଦେଶ ସମ୍ଭାଳୁଥିବାର ଜଣାପଡ଼ିଛି । ବିଶେଷତଃ ସାଧାରଣ ଜନତା ସିଧାସଳଖ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରୁଥିବାରୁ ପରିସ୍ଥିତି ଅଣାୟତ୍ତ ଅବସ୍ଥାରେ ରହିଛି ।