ଲାହୋର : ପାକିସ୍ତାନ ପଞ୍ଜାବକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫ ଶହବାଜଙ୍କ ପୁଅ ପଞ୍ଜାବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ପଞ୍ଜାବ ରାଜ୍ୟରେ ଏପ୍ରିଲ ୧୬ରେ ନିର୍ବାଚନ ହେବ । ଏହି କାରଣରୁ ରାଜ୍ୟ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ନେତାଙ୍କ ଉପରେ ଅଭିଯୋଗ ଆସିଥିଲା ଯେ ସେମାନେ ବିଧାନସଭା ବାଚସ୍ପତିଙ୍କୁ ଚାପୁଡା ମାରିଥିଲେ ।
ଏହି ହଙ୍ଗାମା ଭିତରେ ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ରାଜା ପରଭେଜ ଅଶରଫଙ୍କୁ ନ୍ୟାସନାଲ ଆସେମ୍ବଲିର ବାଚସ୍ପତି କରାଗଲା । ପୂର୍ବ ସରକାର ଭାଙ୍ଗିବା ପରେ ସଂସଦ ଭଙ୍ଗ କରି ଉପବାଚସ୍ପତି କାସିମ ସୁରୀ ଇସ୍ତଫା ଦେଇଥିଲେ । ଏସବୁ ଭିତରେ ପଞ୍ଜାବକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । ହମଜାଙ୍କ ପକ୍ଷରେ ୧୯୭ ଭୋଟ ପଡିଥିଲା । ସେହିପରି ଏହି ମୁଖ୍ୟମନ୍ତ୍ରୀ ଦୌଡରେ ପିଟିଆଇର ତରଫରୁ ପରଭେଜ ଇଲାହୀ ମଧ୍ୟ ଥିଲେ । କିନ୍ତୁ ପିଟିଆଇକୁ ଭୋଟରୁ ବହିସ୍କାର କରାଯାଇଥିଲା ଏବଂ ହମଜା ଶହବାଜ ଏକତରଫ ନିର୍ବାଚନ ଜିତିଥିଲେ ।