ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଥିବାବେଳେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଉଭୟ ଜେଏମଏମ ଓ କଂଗ୍ରେସର ବିଧାୟକମାନେ ଛତିଶଗଡ଼ ଚାଲିଯିବା ନେଇ ସୂଚନା ମିଳିଛି । ଏପରିକି ପ୍ରାୟ ସମସ୍ତ ବିଧାୟକ ନିଜ ନିଜର ଜିନିଷପତ୍ର ସୁଟକେଶ ଆଣିଥିବା ଦେଖାଯାଇଛି । ସରକାରରେ ସଙ୍କଟ କାଳରେ ବିଧାୟକମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ଛତିଶଗଡ଼ ନିଆଯିବ । ୮୧ ଆସନ ବିଶିଷ୍ଟ ବିଧାନସଭାରେ ମହାଗଠବନ୍ଧନ ସରକାରରେ ଜେଏମଏମର ୩୦, କଂଗ୍ରେସ ୧୯, ଆରଜେଡିର ଜଣେ, ଏନସିପିର ଜଣେ, ସିପିଆଇଏମଏଲର ଜଣେ ବିଧାୟକ ଅଛନ୍ତି । ସେହିପରି ଏନଡିଏରେ ବିଜେପିର ୨୬, ଅଜସୁର ୨ ବିଧାୟକ ଅଛନ୍ତି । ଗତକାଲି ସୋରେନଙ୍କ ବାସଭବନରେ ଆୟୋଜିତ ବୈଠକରେ ଉଭୟ ଜେଏମଏମ ଓ କଂଗ୍ରେସ ବିଧାୟକମାନେ ଯୋଗଦେଇ ସ୍ଥିତି ସମୀକ୍ଷା କରିଥିଲେ । ତେଣେ ଯଦି ହେମନ୍ତ ଇସ୍ତଫା ଦିଅନ୍ତି ତେବେ ପତ୍ନୀ କଳ୍ପନା ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।