ସୁରତ ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ହୋଇପାରିବ: ମୋଦି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ମିଳନୀ ଭାରତର ଅମୃତକାଳର ସଂକଳ୍ପ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ…

ନୂଆଦିଲ୍ଲୀ : ଗୁଜରାଟର ସୁରତରେ ଆୟୋଜିତ ପ୍ରାକୃତିକ କୃଷି ସଂକ୍ରାନ୍ତ ଏକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦବୋଧନ ଦେଇଛନ୍ତି । ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ଆପଣାଉଥିବା ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷର ଲୋକ ଯୋଗଦେଇଛନ୍ତି । ଏଥିରେ ଚାଷୀମାନେ ସେମାନଙ୍କ ସଫଳ କାହାଣୀ ଉପସ୍ଥାପିତ କରିଛନ୍ତି । ଏହି ସମ୍ମିଳନୀରେ ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ସରକାରୀ ଅଧିକାରୀ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ମିଳନୀ ଭାରତର ଅମୃତକାଳର ସଂକଳ୍ପ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ପ୍ରାକୃତିକ କୃଷିକୁ ଲୋକପ୍ରିୟ କରିବାରେ ସେ ସରପଂଚଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ବିଭିନ୍ନ କ୍ଷେତ୍ରରେ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରି ତାହାକୁ ପୂରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏସବୁ ଲକ୍ଷ୍ୟ ପୂରଣ ହେଲେ ଦେଶରେ ପରିବର୍ତ୍ତନ ଆସିବ । ସେଥିପାଇଁ ଗ୍ରାମ ପଂଚାୟତଗୁଡିକୁ ଗରିବଙ୍କ ବିକାଶମୂଳକ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିଯାଇଛି । ସୁରତର ଏହି ପ୍ରାରମ୍ଭିକ ପ୍ରୟାସ ଦ୍ୱାରା ୫୫୦ ପଂଚାୟତର ୪୦ହଜାରରୁ ଅଧିକ ଚାଷୀ ପ୍ରାକୃତିକ କୃଷି ସହିତ ଜଡିତ ହୋଇ ପାରିଛନ୍ତି । ସୁରତରେ ଏହି ପ୍ରାକୃତିକ କୃଷି ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ମଡେଲ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।