ଗୁଜୁରାଟ ମଡେଲ ଶାସନର କଳଙ୍କିତ ମୁଖା : ଭାରତକୁ ଯୁକ୍ତରାଷ୍ଟ୍ର ଆମେରିକାର ଗୋଲାମ କରିଦେଲା ବିଜେପି

ସ୍ୱାଧିନ ଭାରତ ପଦାର୍ପଣ କରିଛି ୭୯ତମ ସୋପାନରେ । ୧୯୪୭ ଅଗଷ୍ଟ ୧୫ ତାରିଖ ଦିନଟିକୁ ଆମେ ସ୍ୱାଧିନତା ଦିବସ ଭାବେ ପାଳନ କରି ଆସୁଛୁ । ୧୯୪୭ ମସିହା ପୂର୍ବରୁ ଆମ ଭାରତ ସ୍ୱାଧିନ ନ ଥିଲା? ଆମ ବାପ ଅଜା ଗୋସାଇଁ ବାପା, ସେମାନଙ୍କ ବାପା ବୋଉ ସ୍ୱାଧିନ ନ ଥିଲେ? ଯଦି ନଥିଲେ ତେବେ ଆମ ଭାରତ ଆଉ ଆମ ଚଉଦ ପୁରୁଷ କାହାର ଗୋଲାମ ଥିଲେ? ଏମିତି ଅନେକ କଥା ଆପଣଙ୍କ ମୁଣ୍ଡକୁ ଆସୁଥିବ ନିଶ୍ଚିତ । କେବେ ଏ ସଂପର୍କରେ ଜାଣିବାକୁ ଚେଷ୍ଟା କରିଛନ୍ତି?

ଅଗଷ୍ଟ ୧୫ ତାରିଖ ଅବା ଜାନୁୟାରୀ ୨୬ ତାରିଖ ଦିନ ବାଇକ ଆଗରେ ତ୍ରିରଙ୍ଗା ପତାକା ଲଗାଇ ଦି ଚାରି ଚକ୍କର ମାରିବା ପରେ ଯୋଉମାନେ ନିଜକୁ ସ୍ୱାଧିନ ବୋଲି ଦାବି କରୁଥାନ୍ତି, ସେମାନଙ୍କୁ ୟେ ଦେଶର ଭବିଷ୍ୟତ ଭାବେ ବିବେଚନା କରାଯାଇ ପାରିବନି ।

୧୯୪୭ ମସିହା ପୂର୍ବରୁ ଭାରତକୁ ଶାସନ କରୁଥିଲେ ବ୍ରିଟେନ୍ ରାଣୀ । ସାରା ଭାରତଟା ବ୍ରିଟିଶ ସରକାରଙ୍କ ଗୋଲାମ ଥିଲା । ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ବିଧିବଦ୍ଧ ଭାବେ ବ୍ରିଟିଶ ସରକାରଙ୍କ କବଳରୁ ମୁକ୍ତ ହେଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ନୂଆଦିଲ୍ଲୀର ଲାଲକିଲ୍ଲା ଦୁର୍ଗ ପ୍ରାଚୀରରେ ଠିଆ ହୋଇ ଭାରତର ୩୫ କୋଟି ଲୋକଙ୍କୁ ଭୋକ, ରୋଗ, ଅଭାବ, ଅସୁବିଧା, ଶୋଷଣ, ନିର୍ଯାତନା, ଜାତିଆଣ ବାସନ୍ଦ, ଛୁଆଁ ଅଛୁଆଁ ଭେଦଭାବରୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ପ୍ରଦାନ କଲେ । ସବୁ ପିଲାଙ୍କୁ ସମାନ ପ୍ରକାରର ଶିକ୍ଷାଦାନ କରିବାକୁ ସଂକଳ୍ପ କଲେ । ସବୁ ପରିବାରକୁ ସମାନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସଂକଳ୍ପ କଲେ ।

ଦେଶର ସବୁ ନାଗରିକଙ୍କ ପ୍ରତି ସମାନ ଦୃଷ୍ଟି ସମାନ ବିଚାର କରିବା ପାଇଁ ତିଆରି କରାଗଲା ସମ୍ବିଧାନ । ସେଦିନକୁ ପୁରି ଯାଇଛି ୭୮ ବର୍ଷ । ସ୍ୱାଧିନ ଭାରତର ୭୯ତମ ଜନ୍ମ ଦିବସରେ ଆମ ଦେଶର କେତେ କୋଟି ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଅଛନ୍ତି । କେତେ କୋଟି ପରିବାର ସରକାରଙ୍କ ହାତଟେକାକୁ ଭରସା କରୁନାହାନ୍ତି ।

୨୦୨୪ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁରୁ ଆମେ ଶୁଣୁଥିଲୁ ଯେ ୭୯ କୋଟି ଲୋକଙ୍କୁ ମାସକୁ ମାଗଣାରେ ୫ କିଲୋ ଖାଦ୍ୟଶସ୍ୟ ବିତରଣ କରାଯାଉଛି । କିଛି ମାସ ତଳେ ପ୍ରକାଶିତ ମିଳିତ ଜାତିସଂଘ ରିପୋର୍ଟ ଅନୁସାରେ ଭାରତରେ ୯୮ ଭାଗ ଲୋକଙ୍କ ଦୈନିକ ରୋଜଗାର ୨୦୦ ଟଙ୍କାରୁ କମ୍ ।

୨୦୧୪ ମସିହାରେ ଭାରତକୁ ଶାସନ କରିବା ପାଇଁ ଗୁଜୁରାଟ ମଡେଲକୁ ଉପଯୁକ୍ତ ବିବେଚନା କରାଗଲା । ଦେଶରେ ବହୁଳ ପ୍ରସାରିତ ଖବରକାଗଜ ନିୟମିତ ଗୁଜୁରାଟ ମଡେଲ ଗୁଣଗାନ କଲେ, ବିଜ୍ଞାପନ ବାବଦକୁ ରାଜକୋଷରୁ ମୋଟା ରକମର ଲୁଟିଲେ । ସାଧାସିଧା ଭୋଟର ଖବରକାଗଜରେ ଯୋଉ ନେତାଙ୍କ ମୁହଁ ଦେଖିଲା, ତାଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ ଆସନରେ ବସାଇ ଦେଲା । ବିକଶିତ ଭାରତ ଆଡକୁ ହାତ ଦେଖାଇ ଆମକୁ ଧାଇଁବା ପାଇଁ କୁହାଗଲା । ଆମ ଆକାଉଂଟରେ ୧୫ ଲକ୍ଷ ଟଙ୍କା ଜମା କରି ଦିଆଯିବାର ସ୍ୱପ୍ନ ଦେଖାଗଲା । ଆମକୁ ୫୦ ଟଙ୍କାରେ ପେଟ୍ରୋଲ ବିକିବାକୁ କୁହାଗଲା । ୟା’ ଭିତରେ ୧୧ ବର୍ଷ ବିତିଗଲା । ଆମେ ବିକଶିତ ଭାରତ ପଛରେ ଏବେ ମଧ୍ୟ ଧାଉଁଛୁ । ଗୁଜୁରାଟ ମଡେଲକୁ ଯୋଗ୍ୟତମ ଭାବି ମୁଣ୍ଡରେ ବସାଇଛୁ ।

୧୧ ବର୍ଷ ଭିତରେ ସ୍ୱାଧିନ ଭାରତର ଭାଗ୍ୟ ବିଧାତା ହୋଇଗଲା ଯୁକ୍ତରାଷ୍ଟ୍ର ଆମେରିକା । ଆମ ଭାରତଟା କେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଗୋଲାମ ହୋଇଗଲା, ସେ ପ୍ରଶ୍ନ ପଚାରିବାର ସ୍ୱାଧିନତା ଛଡ଼ାଇ ନେଇଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମକୁ କେବଳ ତାଙ୍କ ମନର କଥା ଶୁଣିବାକୁ ବାଧ୍ୟ କରାଯାଉଛି ।