ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଇରାନ୍ କରୁଛି ପ୍ରସ୍ତୁତି । ଏଭଳି ସ୍ଥିତିରେ ଇସ୍ରାଏଲ୍ ପାଇଁ ଆଗକୁ ଆସିଛି ଆମେରିକା । ଭୂମଧ୍ୟ ସାଗରରେ ଯୁଦ୍ଧ ଜାହାଜଠାରୁ ଆରମ୍ଭ କରି ଲଢୁଆ ବିମାନ, ମିସାଇଲ୍, ଡେଷ୍ଟ୍ରୟର୍ ଆଦି ମୁତୟନ କରିଛି ପେଣ୍ଟାଗନ୍ । ହିଜବୁଲ୍ଲ ଓ ହାମାସ୍‌ର ଦୁଇ ଟପ୍ ନେତାଙ୍କ ହତ୍ୟା ପରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଇରାନର ସଜବାଜ । ଯେ କୌଣସି ମୁହୁର୍ତ୍ତରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ ତେହେରାନ୍।

ପଡ଼ୋଶୀ ଦେଶରୁ ଥାଇ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଯୋଜନା ରଖିଛି ତେହେରାନ୍ । ଆକ୍ରମଣ ସୁନିଶ୍ଚିତ ଜାଣି ଆଲର୍ଟ ମୋଡ୍‌ରେ ଇସ୍ରାଏଲ୍‌ । ଇରାନ୍ ସୁପ୍ରିମ ଲିଡର୍ ଆୟାତୋଲ୍ଲା ଅଲ୍ ଖାମେନି, ଇସ୍ରାଏଲ୍ ଉପରେ ଜୋରଦାର୍ ଆକ୍ରମଣ ପାଇଁ ଚେତାବନୀ ଦେଇଥିବା ବେଳେ ଇସ୍ରାଏଲ୍ ପାଇଁ ପୂରା ପ୍ରସ୍ତୁତ ହେଲାଣି ତାର ମିତ୍ର ରାଷ୍ଟ୍ର ଆମେରିକା । ମଧ୍ୟପ୍ରାଚ୍ୟରେ ଟେନସନ୍ ଦେଖି ପେଣ୍ଟାଗନ୍ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଡେପୁଟି ପ୍ରେସ୍ ସେକ୍ରେଟାରୀ ସାବ୍ରିନା ସିଂହ । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହାମାସ୍ କରିଥିବା ପ୍ରଥମ ଆକ୍ରମଣକୁ ପଏଣ୍ଟ କରିଛି ୱାସିଂଟନ୍ ।

ପୂର୍ବରୁ ଭୂମଧ୍ୟ ସାଗରରେ ଆମେରିକା ଏୟାରକ୍ରାଫ୍ଟ କ୍ୟାରିଅର୍ ଜାହାଜ ୟୁଏସଏସ ଥିଓଡର୍ ରୋଜଭେଲ୍‌ଟ ମୁତୟନ କରିଥିଲା । ଏବେ ତାହା ବଦଳରେ ସେଠାରେ ୟୁଏସଏସ ଆବ୍ରାହମ୍ ଲିଙ୍କନକୁ ମୁତୟନ କରିଛି । ଏହା ସହିତ ଲଢୁଆ ଯୁଦ୍ଧ ବିମାନ, ବାଲିଷ୍ଟିକ୍ ମିସାଇଲ୍ ଏବଂ ଡେଷ୍ଟ୍ରୟର୍ ମଧ୍ୟ ପଠାଇଛି ପେଣ୍ଟାଗନ୍ ।

ଗତ ମଙ୍ଗଳବାର ବୈରୁଟରେ ଲେବାନନର ହିଜବୁଲ୍ଲା ନେତା ଫୁଆଦ୍ ସୁକର୍‌ଙ୍କୁ ହତ୍ୟା କରିବାର କେଇ ଘଣ୍ଟା ପରେ ତେହେରାନରେ ହାମାସ୍ ଲିଡର୍ ଇସ୍ମାଇଲ୍ ହାନିୟେଙ୍କୁ ହତ୍ୟା କରିଛି ଇସ୍ରାଏଲ୍ । ହାମାସ୍ ନେତା ହାନିୟେ ତେହେରାନରେ ରହୁଥିବା ନେଇ ପକ୍କା ଖବର ଦେଇଥିଲା ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ୍ । ଇରାନ ସୁରକ୍ଷାକର୍ମୀଙ୍କୁ ହିଁ ଏଜେଣ୍ଟ ବନାଇଥିଲା ଇସ୍ରାଏଲ୍ ।