ନୂଆଦିଲ୍ଲୀ: ଦିଲ୍ଲୀଠାରୁ ପ୍ରାୟ ୬୦୨ କିଲୋମିଟର ଯାତ୍ରା କଲାପରେ ପଡ଼ିବ ଛିତକୁଲ ଗାଁ । ଏବେ ସେଠାରେ ଭୀଷଣ ଥଣ୍ଡା । ଗାଁ ନିକଟ ପାହାଡ଼ ଉପରେ ବରଫ ପଡୁଛି । ଶିମଲାରୁ ନାରକଣ୍ଡା, ରାମପୁର, ସରାହନ୍, ୱାଂଗଦୁ, କରଚ୍ଛମ, ସାଂଗଲା ପର୍ଯ୍ୟନ୍ତ ଯିବାକୁ ହେବ । ସେଠାରୁ ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତାରେ ଗଲେ ଛିତକୁଲ । ବସଷ୍ଟାଣ୍ଡରେ ଓହ୍ଲାଇ ଚାଳକକୁ ପଚାରିଲି, ପୁଣି ବସ୍ କେତେବେଳକୁ ଅଛି । ଚାଳକ କହିଲା ଯେ ସେଇ ବସ ହିଁ ସେଦିନର ଶେଷ ବସ୍ ।
୧୮ ଘଂଟା ପରେ ଅର୍ଥାତ୍ ତା’ ପରଦିନ ସକାଳ ୧୦ଟାରେ ପରବର୍ତୀ ବସ୍ । ଗାଁ’କୁ ପଡ଼ିଥିବା ପାହାଡ଼ିଆ ରାସ୍ତା ବିପଦପୂର୍ଣ୍ଣ । ଚାଳକର ଟିକେ ନଜର ଏପଟ ସେପଟ ହୋଇଗଲେ, କାହିଁ କେତେଶହ ମିଟର ତଳକୁ ଖସିପଡ଼ିବ ବସ୍ । ଶୀତଦିନରେ ରାସ୍ତା ଉପରେ ବରଫ ଜମିଯିବା ଫଳରେ ବସ୍ ଟାୟାର ଖସିଯିବାର ଭୟ । ଯାହା ହେଉ, ଗାଁରେ ପହଂଚି ମୁଖିଆଙ୍କ ଘର ଖୋଜିଲି । ମୁଖିଆ ସୁଭାଷ ନେଗୀ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ।
ସେଠାକାର ସଂସ୍କୃତି ଓ ପରମ୍ପରା ସଂପର୍କରେ କିଛି ପ୍ରଶ୍ନ ପଚାରିଲି । ମୋ ପ୍ରଶ୍ନକୁ ଶୁଣି ମୁଖିଆ ଥଙ୍ଗେଇ ଥଙ୍ଗେଇ ଜବାବ ଦେଲେ । ଛିତକୁଲ ସଂସ୍କୃତି, ଚାଲିଚଳଣୀ, ଖାଦ୍ୟପାନୀୟ, ଆଇନ କାନୁନ ସଂପୂର୍ଣ୍ଣ ଅଲଗା । ସେଠାରେ ଭାରତ ସରକାରଙ୍କ ବିବାହ ଆଇନ ଓ ବଂଶାନୁକ୍ରମିକ ଆଇନକୁ ବିଶେଷ ଗ୍ରହଣ କରାଯାଏନା । ଗ୍ରାମର ମହିଳାମାନେ ସେମାନଙ୍କ ଇଛାନୁସାରେ ଚାରିଜଣଙ୍କୁ ବିବାହ କରିପାରିବେ । ଜଣେ ମହିଳା ଗୋଟିଏ ପରିବାରର ଚାରିଭାଇଙ୍କୁ ବିବାହ କରିପାରିବେ ।
ତେବେ ଚାରିଭାଇଙ୍କୁ ବିବାହ କରିବା ପାଇଁ ମହିଳାଙ୍କୁ ବାଧ୍ୟ କରାଯାଏ ନାହିଁ । ମାତ୍ର ଶୃଙ୍ଖଳିତ ପରିବାର ଦୃଷ୍ଟିରୁ ଜଣେ ମହିଳା ପରିବାରର ଏକାଧିକ ଭାଇଙ୍କୁ ବିବାହ କରିଥାନ୍ତି । ବହୁ ପତି ପରମ୍ପରା ପଛରେ ଗାଁର ମୁଖିଆ ମୋତେ ମହାଭାରତର ଚର୍ଚ୍ଚିତ ଚରିତ୍ର ଦ୍ରୌପଦୀଙ୍କ ବିଷୟ କହିଲେ । ପାଣ୍ଡବମାନେ ଅଜ୍ଞାତବାସ କାଳରେ ସେହି ଗ୍ରାମରେ ପହଂଚି କିଛିଦିନ ବସବାସ କରିଥିଲେ । ପାଂଚଭାଇଙ୍କ ଗହଣରେ ଦ୍ରୌପଦୀଙ୍କ ଅବସ୍ଥାନ ପ୍ରତି ଗ୍ରାମବାସୀମାନେ ପ୍ରଭାବିତ ହେଲେ ।
ଦ୍ରୌପଦୀଙ୍କ ଭଳି ଜଣେ ଜଣେ ମହିଳା ଗୋଟିଏ ପରିବାରର ଏକାଧିକ ଭାଇଙ୍କୁ ବିବାହ କରି ଘର ସଂସାର କଲେ । ପାଣ୍ଡବଙ୍କ ଭିତରୁ ଯୋଉ ଭାଇ ଦ୍ରୌପଦୀଙ୍କ ସହିତ ରାତି କଟାନ୍ତି । ସେହି ଭାଇଜଣକ ଦ୍ରୌପଦୀଙ୍କ କକ୍ଷ ବାହାରେ ତାଙ୍କ ଚପଲଟିକୁ ରଖିଦିଅନ୍ତି । ଛିତକୁଲ ଗାଁରେ ମଧ୍ୟ ଯୋଉ ଭାଇ ପତ୍ନୀଙ୍କ ସହିତ ରାତି କଟାଇବାକୁ ଯାଆନ୍ତି, ସେ ତାଙ୍କ ଟୋପିଟିକୁ କକ୍ଷ ବାହାରେ ଝୁଲାଇ ଦିଅନ୍ତି । ପତ୍ନୀଙ୍କୁ କେନ୍ଦ୍ର କରି ଭାଇମାନଙ୍କ ଭିତରେ ସେଭଳି କଳିଗୋଳ ଉପୁଜେ ନାହିଁ । ଛିତକୁଲରେ ଝିଅମାନଙ୍କୁ ପୈତୃକ ସଂପତିରୁ ଭାଗ ମିଳେନାହିଁ ।
ବିବାହ ଉତ୍ସବରେ ମଧ୍ୟ ପଶୁବଳି ଦେବାର ପରମ୍ପରା ରହିଛି । ଦେବୀ ଦେବତାଙ୍କ ଆଶୀର୍ବାଦ ପାଇବା ପରେ ବିବାହ କରାଯାଏ । ଠାକୁର ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବଳି ଦିଆଯିବା ପରେ ପୂଜକ ଗାଁର ଜଳାଶୟ ନିକଟରେ ପୂଜାର୍ଚ୍ଚନା କରି ପ୍ରେତାତ୍ମାଙ୍କୁ ଶାନ୍ତି କରାନ୍ତି । ତା’ପରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥାଏ ।