ସ୍ୱାମୀକୁ ହତ୍ୟା କଲେ ପତ୍ନୀ, ଲାସ ନିକଟରେ ରାତି କଟାଇଲେ
ଆତ୍ମରକ୍ଷା ପାଇଁ ଉଦ୍ୟମ କରୁକରୁ ଦୈବାତ୍ କ୍ରମେ ସ୍ୱାମୀଙ୍କର ପ୍ରାଣ ଚାଲିଗଲା…
ଝାନ୍ସୀ: ୟୁପିର ଝାନ୍ସୀ ଜିଲ୍ଲାରେ ଏକ ଚାଂଚଲ୍ୟକର ଘଟଣା ସମସ୍ତଙ୍କୁ ହତଚକିତ କରିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା କରିବା ପରେ ସାରାରାତି ମୃତଦେହ ନିକଟରେ ଶୋଇଥିଲେ । ସକାଳେ ଘଟଣାଟି ଚହଳ ପଡ଼ିଯିବାରୁ ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା । ମହିଳାଙ୍କ ସୂଚନା ମୁତାବକ ତାଙ୍କ ସ୍ୱାମୀ ଜନ୍ମିତ କନ୍ୟାକୁ ଉପଭୋଗ କରିବାକୁ ଚାହିଁଥିଲା । ମହିଳା ଜଣକ ପ୍ରତିବାଦ କରିବାରୁ ମଦ୍ୟପ ସ୍ୱାମୀ ତାଙ୍କୁ ଓ ତାଙ୍କ ଝିଅକୁ ପ୍ରବଳ ମାଡ଼ ମାରିଲେ । ଆତ୍ମରକ୍ଷା ପାଇଁ ଉଦ୍ୟମ କରୁକରୁ ଦୈବାତ୍ କ୍ରମେ ସ୍ୱାମୀଙ୍କର ପ୍ରାଣ ଚାଲିଗଲା । ଘଟଣାଟି ମଉରାନୀପୁର ଥାନା ଅଂଚଳର ।
ମନୋହର (ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରୁଥିଲା । ମନୋହର ଜଣେ ମଦ୍ୟପ ଥିଲା । ନିୟମିତ ମଦ ପିଇ ପତ୍ନୀ ଓ ପିଲାଙ୍କୁ ମାଡ଼ ମାରିବା ତା’ର ଅଭ୍ୟାସରେ ପଡ଼ି ଯାଇଥିଲା । ସବୁଦିନ ଭଳି ଘଟଣା ଦିନ ମନୋହର ପେଟେ ମଦ ପିଇ ଘରକୁ ଆସିଲା । ଝିଅକୁ ପାଖକୁ ଡାକି ଡ୍ରେସ ଖୋଲିବାକୁ ଉଦ୍ୟମ କଲା । ଝିଅ ପ୍ରତିବାଦ କରିବାରୁ କ୍ରୋଧାନ୍ଧ ମନୋହର ଝିଅଟିକୁ ଠେଙ୍ଗାରେ ପିଟିଲା । ମହିଳାଟି ପ୍ରତିବାଦ କରିବାରୁ ଝିଅକୁ ଛାଡ଼ି ମନୋହର ତାଙ୍କୁ ମାଡ଼ ମାରିବାକୁ ଲାଗିଲା ।
ମା’ ଓ ଝିଅ ଦୁହେଁ ମିଶି ମନୋହର ହାତରୁ ଠେଙ୍ଗା ଛଡ଼ାଇ ପିଟିବାକୁ ଲାଗିଲେ । ଉଭୟଙ୍କ ମାଡ଼ରେ ଲହୁଲୁହାଣ ହୋଇ ମନୋହର ଆଖି ବୁଜିଦେଲା । ସ୍ୱାମୀଙ୍କ ମୃତ୍ୟୁ ହେବାର ଜାଣିବା ପରେ ମହିଳାଙ୍କ ମୁଣ୍ଡରେ କିଛି ବୁଦ୍ଧି ଜୁଟିଲା ନାହିଁ । କ’ଣ କରିବେ ଭାବି ସାରାରାତି ଲାସ ନିକଟରେ ଶୋଇ ରହିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ମା’ ଓ ଝିଅଙ୍କୁ ଥାନାରେ ଅଟକ ରଖିଛି ।