ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ଜଣେ ୨୮ ବର୍ଷୀୟା ଯୁବତୀ କର୍କଟରେ ପୀଡ଼ିତ ହୋଇ ସୁଦ୍ଧା ଅସ୍ତ୍ରୋପଚାର କରି ସ୍ତନଯୁଗଳ ହଟାଇ ଦେଇଛନ୍ତି । ସଂପୃକ୍ତ ମହିଳାଙ୍କର ନାମ ଷ୍ଟେଫାନୀ । ସେ କର୍କଟର ଶିକାର ହେବେ ବୋଲି ୧୫ ବର୍ଷ ବୟସରୁ ଜାଣିଥିଲେ । ଷ୍ଟେଫାନୀଙ୍କ ୫୩ ବର୍ଷ ବୟସ୍କା ମା’ ଗାବ୍ରିଏଲା ଓ ୭୭ ବର୍ଷୀୟା ଆଈ ଟେରେସା ମଧ୍ୟ ବିଆରସିଏ୧ ଜିନ୍ ବାହକ ଥିଲେ । ଏହି ଜିନ୍ କର୍କଟ ରୋଗ ସୃଷ୍ଟିକାରୀ ଗୁଣସୂତ୍ର ।
ସବୁ ମହିଳାଙ୍କ ନିକଟରେ ବିଆର୍ସିଏ୧ ଓ ବିଆର୍ସିଏ୨ ଜିନ୍ ରହିଥାଏ । ମାତ୍ର ଯେଉଁ ମହିଳାଙ୍କ ଗୁଣସୂତ୍ର ବା ଜିନ୍ରେ ପରପୀଢ଼ି ପ୍ରକ୍ରିୟା ଲକ୍ଷଣ ପ୍ରକାଶ ପାଏ, ସେହି ମହିଳାଙ୍କୁ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଏ । ୨୭ ବର୍ଷ ବୟସରେ ଷ୍ଟେଫାନୀ ଡାକ୍ତରୀ ପରୀକ୍ଷାର ସମ୍ମୁଖୀନ ହୋଇ ଜାଣିବାକୁ ପାଇଲେ ଯେ କର୍କଟ ଦାଉରୁ ବଂଚିବାକୁ ହେଲେ ତାଙ୍କୁ ସ୍ତନଯୁଗଳ ହଟାଇବାକୁ ପଡ଼ିବ । ଅସ୍ତ୍ରୋପଚାର ଜରିଆରେ ସ୍ତନଯୁଗଳ ହଟାଇବା ସହଜ ନଥିଲା ।
ମାତ୍ର ଜୀବନ ମରଣ ଭିତରୁ ତାଙ୍କୁ ଜୀବନ ବାଛିବାକୁ ପଡ଼ିଲା । ବଂଚିବାକୁ ହେଲେ ଯନ୍ତ୍ରଣା ଭୋଗିବାକୁ ପଡ଼ିବ । ଅତଏବ ମରଣଠାରୁ ବଳି ଯନ୍ତ୍ରଣାଦାୟକ ଆଉ କ’ଣ ହୋଇପାରେ । ଷ୍ଟେଫାନୀ କହନ୍ତି, ମୁଁ ଭାବୁକ ଥିଲି । ମୁଁ ଭାବୁକ ଥିଲି । ମୋ ପରିବାରରେ ସ୍ତନ କର୍କଟ ଇତିହାସ ରହିଛି । ବଂଶଗତ ସୂତ୍ରରେ ମୋତେ ସ୍ତନ କର୍କଟ ଓ ଜରାୟୁ କର୍କଟ ମିଳିଛି । ମୋ ଆଈଙ୍କୁ ଦୁଇଥର କର୍କଟ ସଂକ୍ରମଣ କରିଛି । ମୋତେ ୧୫ ବର୍ଷ ହୋଇଥିଲା ବେଳେ ମୋ ମା’ କହିଥିଲେ ଯେ ସେ ବିଆରସିଏ୧ ଜିନ୍ ପଜିଟିଭ ।
ତେଣୁ ମୋତେ କର୍କଟ୍ ହେବାର ୮୭ ପ୍ରତିଶତ ଆଶଙ୍କା ଥିଲା । ୨୭ ବର୍ଷ ବୟସରେ ମୁଁ କର୍କଟର ଶିକାର ହେଲି । ୧୫ ବର୍ଷ ବୟସରୁ ମାନସିକ ଭାବେ ସ୍ତନଯୁଗଳ ହଟାଇବାକୁ ନିଷ୍ପତି ନେଇଥିଲି । ଏବେ ଅନେକ ମହିଳା ମୋତେ ସ୍ତନ ପ୍ରତିରୋପଣ ପରାମର୍ଶ ଦେଉଛନ୍ତି ।
ମାତ୍ର ସ୍ତନ ଦୁଇଟିକୁ ହଟାଇ ମୁଁ ବେଶ ଖୁସି ଅଛି । ଏକ ନୂଆ ଜୀବନ ଆରମ୍ଭ କରିଛି । ଅନେକ କହନ୍ତି, ନାରୀର ସୌନ୍ଦର୍ଯ୍ୟ ହେଉଛି ତା’ର ସ୍ତନଯୁଗଳ । କିନ୍ତୁ ମୋ ଦୃଷ୍ଟିରେ କେବଳ ସ୍ତନଯୁଗଳ ହିଁ ନାରୀର ସୌନ୍ଦର୍ଯ୍ୟର ଆକର୍ଷଣ ନୁହେଁ । ମୁଁ କେବେ ସ୍ତନକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇନାହିଁ । ଏବେ ମୁଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଏହା ମୋର ଭିନ୍ନ ଏକ ପରିଚୟ ।