ବିଶ୍ୱସ୍ତରୀୟ ଗ୍ରାଉଣ୍ଡ ବାରବାଟୀ ଝଲସିବ

କଟକ,(ଏସ୍ ନ୍ୟୁଜ): ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‍ ହେଉଛି କଟକର ବାରବାଟୀ କ୍ରିକେଟ ଷ୍ଟାଡିୟମ। । ଦିନିକିଆ କ୍ରିକେଟରୁ ଆରମ୍ଭ କରି ଟେଷ୍ଟ କିମ୍ବା ଟି-୨୦ କ୍ରିକେଟରେ ଏଠାରେ ଅନେକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏଥିଲାଗି ଷ୍ଟାଡିୟମ୍‍କୁ ପ୍ରଶଂସା ମିଳିଥିଲେ ମଧ୍ୟ ବର୍ଷା ହେଲେ ଏଠାରେ ମ୍ୟାଚ୍‍ ଆୟୋଜନ କଷ୍ଟକର ହୋଇପଡ଼ିଛି। ଏପରିକି ବର୍ଷା ଯୋଗୁଁ ୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‍ ବାତିଲ ହୋଇଥିଲାବେଳେ ପଡ଼ିଆକୁ ନେଇ ଅନେକ ନିନ୍ଦା ମୁଣ୍ଡାଇବାକୁ ପଡ଼ିଛି। ଏଥିରୁ ମୁକ୍ତିମିଳିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଏଠାରେ ପ୍ରସ୍ତୁତ କରାଯାଉଛି ବିଶ୍ୱସ୍ତରୀୟ ଭିତ୍ତିଭୂମି।

ଗତ ମାର୍ଚ୍ଚ ମାସରୁ ୫୦ଜଣ କର୍ମଚାରୀ ନିୟମିତ ଗ୍ରାଉଣ୍ଡର ବିକାଶ କାର୍ଯ୍ୟରେ ଲାଗିଛନ୍ତି। ପଡ଼ିଆରେ ଚିକିଟା ମାଟି ଥିବାରୁ ଯେଉଁ ସବୁ ସମସ୍ୟା ଥିଲା ତାହା ଦୂର କରାଯିବ। ସାମାନ୍ୟ ବର୍ଷା ଯୋଗୁଁ ଆଉ କାଦୁଅରେ ଭର୍ତ୍ତି ହେବନି ଏହି ପଡ଼ିଆ। ପଡ଼ିଆକୁ ୨ଫୁଟ ପର୍ଯ୍ୟନ୍ତ ଖୋଳାଯାଇ ଏହି ଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ ବାଲିଆ କରାଯାଉଛି। ଯାହା ଫଳରେ ବର୍ଷା ହେଲେ ଏହା ଖୁବ୍‍ ଶୀଘ୍ର ଶୁଖିଯିବ ଓ ପଡ଼ିଆ ଖେଳ ଲାଗି ପ୍ରସ୍ତୁତ ହୋଇପାରି। ସେହିପରି ରାଜ୍ୟ ବାହାରୁ ଅଣାଯାଇଛି ଅତ୍ୟାଧୁନିକ ସ୍ୱତନ୍ତ୍ର କିସମର ହାଇବ୍ରିଡ ଘାସ। ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବାରବାଟୀ ପଡ଼ିଆର ଆଧୁନିକୀକରଣ ହେବା ସହ ବିଶ୍ୱସ୍ତରୀୟ ହୋଇପାରିବ। ସେପ୍ଟେମ୍ବର ମାସ ସୁଦ୍ଧା ବାରବାଟୀ ନୂତନ ରୂପ ନେଇ ସାରିଥିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି