ପେଟ ପାଇଁ ମହାଦୋଷ କରି ଧରାପଡ଼ିଲେ ଯୁବକ

ନକଲି ପରିଚୟ ବଳରେ ଚାକିରି କଲେ ମହାବିପଦ

ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଚାଲିଛି ଯାବତୀୟ ଅଳିଆ…..

କିଶନଗଡ଼: ପେଟ ଚାଖଣ୍ଡକ ପାଇଁ ମଣିଷ ଯାବତୀୟ ଅପକର୍ମ କରିବାକୁ ପଛାନ୍ତି ନାହିଁ । ସିନେମା କାହାଣୀଠାରୁ କୌଣସି ଗୁଣରେ କମ୍‌ ନୁହେଁ ଆମ ଖଳନାୟକଙ୍କର ବାସ୍ତବ କାରନାମା । ଚାକିରି କରିବାର ବୟସ ଅତିକ୍ରମ କାରଣରୁ ଜଣେ ଯୁବକ ଆଇନ ଆଖିରେ ଧୂଳି ଦେଇ ଦୋଷୀ ପାଲଟିଛି । ସେନାବାହିନୀରେ ଯୋଗ ଦେବାର ଆଶା ନେଇ ଜଣେ ଯୁବକ ନିଜକୁ ମୃତ ଦର୍ଶାଇ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କଲେ । ଆଧାର କାର୍ଡରେ ନାମ ପରିବର୍ତନ କଲେ । ବୟସ କମାଇବା ପାଇଁ ଦଶମ ପରୀକ୍ଷା ଦେଲେ ।

ଯାବତୀୟ ଜାଲ କାଗଜପତ୍ର ପ୍ରସ୍ତୁତ କରି ସେନାବାହିନୀରେ ଭର୍ତି ହୋଇଗଲେ । ତାଲିମ ପରେ ମାସକୁ ୪୫ ହଜାରରୁ ୫୦ ହଜାର ଟଙ୍କାର ଦରମା ପାଇଥାନ୍ତେ । ମାତ୍ର ପ୍ରତିରକ୍ଷା ମହାନିର୍ଦ୍ଦେଶାଳୟ ହାତରେ ଏପରି ଗୋଟିଏ ଚିଠି ପଡ଼ିଲା ଯାହା ତାଙ୍କର ସବୁ ଉଦ୍ୟମକୁ ମାଟିରେ ମିଶାଇଦେଲା । ସେନାବାହିନୀରୁ ତଡ଼ା ଖାଇବା ପରେ ଏବେ ପୁଲିସ ଅଠାକାଠିରେ ପଡ଼ିଯାଇଛି ଆମ କାହାଣୀର ଖଳନାୟକ ଆଜମେର ଜିଲ୍ଲାର କିଶନଗଡ଼ ନିବାସୀ ନୁର ମହମ୍ମଦଙ୍କ ପୁଅ ମୋଇନୁଦ୍ଦିନ୍‌ ।

ଅଭିଯୁକ୍ତ ମୋଇନୁଦ୍ଦିନ୍‌ ନିଜର ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରି ମୋହିନ ସିସୋଦିୟା ନାମରେ ନୂଆ ପରିଚୟ ସୃଷ୍ଟି କରି ସେନାବାହିନୀରେ ଯୋଗ ଦେଇଥିଲା । ହେଲେ କିଏ ଜାଣିଥିଲା ତା’ର ନକଲି ପରିଚୟ ଏକାଧାରରେ ତା’ ପରିବାର, ଗ୍ରାମ ପଂଚାୟତ ଓ ବିଦ୍ୟାଳୟ ପାଇଁ ଘୋର ଅପନିନ୍ଦା ଟାଣିଆଣିବ । ୪୬ ବର୍ଷୀୟ ମହମ୍ମଦ ଜମିବାଡ଼ି ଚାଷ କରନ୍ତି । ପରିବାର କହିଲେ ପତ୍ନୀ ଫାତିମା, ବଡ଼ପୁଅ ମୋଇନୁଦ୍ଦିନ୍‌, ଛୋଟପୁଅ ଆସିଫ ଓ ଝିଅ ସଲମା ।

ଝିଅଟି ବାହା ହୋଇ ଶାଶୁଘରକୁ ଚାଲିଗଲା । ମୋଇନୁଦ୍ଦିନର ଜନ୍ମ ୧୯୯୮ ନଭେମ୍ବର ୬ ତାରିଖରେ ଓ ଆସିଫର ଜନ୍ମ ୨୦୦୧ ଜୁଲାଇ ୫ ତାରିଖରେ । ୨୦୧୩ରେ ମୋଇନୁଦ୍ଦିନ୍‌ ଦଶମ ଶ୍ରେଣୀ ପରୀକ୍ଷା ପାସ୍‌ କଲା । ସାନଭାଇ ଆସିଫ ସେନାବାହିନୀ ପାଇଁ ମନୋନୀତ ହୋଇଗଲା । ବୟସ ଅଧିକ କାରଣରୁ ମୋଇନୁଦ୍ଦିନ୍‌ ସେନା ପାଇଁ ଅଯୋଗ୍ୟ ହୋଇଗଲା । ସେନାବାହିନୀରେ ଯୋଗଦେବା ଉଦ୍ଦେଶ୍ୟରେ ମୋଇନୁଦ୍ଦିନ୍‌ ଏକ ଯୋଜନା କଲା ।

ନିଜର ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରିବା ପରେ ମୋହିନ ସିସୋଦିୟା ନାମରେ ୨୦୧୯ରେ ଦଶମ ଶ୍ରେଣୀ ପରୀକ୍ଷା ଦେଲା । ମୋହିନ ସିସୋଦିୟା ନାମରେ ବୋର୍ଡ ସାର୍ଟିଫିକେଟ୍‌ ପାଇଗଲା । ସାର୍ଟିଫିକେଟ୍‌ରେ ବାପାଙ୍କ ନାମ ନୁର ମହମ୍ମଦ ଓ ମା’ଙ୍କ ନାମ ଫାତିମା ବାନୋ ଥିଲା । ତା’ ସହିତ ଜନ୍ମ ତାରିଖ ୧୯୯୮ ନଭେମ୍ବର ୬ ବଦଳରେ ୨୦୦୧ ନଭେମ୍ବର ୬ ତାରିଖ ଉଲ୍ଲେଖ ଥିଲା । ତା’ର ଅର୍ଥ ସେ ଏବେ ତା’ର ସାନଭାଇ ଆସିଫଠାରୁ ମଧ୍ୟ ସାନ ହୋଇଗଲା ।

ଅଭିଯୁକ୍ତ ମୋଇନୁଦ୍ଦିନର ଅପରାଧିକ କାର୍ଯ୍ୟକଳାପରେ ତା’ ବାପା ନୁର ମହମ୍ମଦ, ସରପଂଚ, ଗ୍ରାମ ସଚିବ ଓ ତହସିଲଦାର ସମାନ ପରିମାଣରେ ଦୋଷୀ । କାଗଜପତ୍ର ଯାଂଚ କରିବା ପାଇଁ ସରକାରୀ ଅଧିକାରୀଙ୍କ ପାଖରେ ସମୟ ନାହିଁ । ୟୁପିରେ ବିଜେପି ଭଲ ଶାସନ କରୁଛି ବୋଲି ଚାରିଆଡେ଼ ଡିଣ୍ଡିମ ପିଟାଚାଲିଛି । ହେଲେ ସରକାରୀ କର୍ମଚାରୀମାନେ ଯୋଗୀ ଆଦିତ୍ୟନାଥଙ୍କ ନାମକୁ ବିକି ଚାଲିଛନ୍ତି ।