ସୁରକ୍ଷାକର୍ମୀଙ୍କ କଲର୍ ଧରି ଫସିଲେ ଯୁବତୀ
ସୁରକ୍ଷାକର୍ମୀଙ୍କ ଏତିକି କଥାରେ ତିନିଜଣ ଯୁବତୀ ଗାଡ଼ି ଭିତରୁ ବାହାରି ଗାଳିଫଜିତ୍ କରିଥିଲେ…..
ନୋଏଡ଼ା: ଶୁକ୍ରବାର ବିଳମ୍ବିତ ରାତିରେ ତିନିଜଣ ନିଶାଗ୍ରସ୍ତ ଯୁବତୀ ଜଣେ ସୁରକ୍ଷାକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କରି ଆଇନ ଫାଶରେ ପଡ଼ିଛନ୍ତି । ପୁଲିସ ଅଭିଯୁକ୍ତ ଦୁଇଜଣ ଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ବେଳେ ତୃତୀୟ ଛାତ୍ରୀଟି ଘଟଣାସ୍ଥଳରୁ ପଳାୟନ କରିଛନ୍ତି ।
ଘଟଣାରୁ ଜଣାପଡ଼ିଛି ଯେ ନିଶାଗ୍ରସ୍ତ ଯୁବତୀମାନେ ଗାଡ଼ି ଚଳାଇ ଯାଉଥିବା ସମୟରେ ସୁରକ୍ଷାକର୍ମୀ ତାଙ୍କ ଗାଡ଼ିକୁ ଅଟକାଇ ଷ୍ଟିକର୍ କ’ଣ ପାଇଁ ନାହିଁ ପଚାରିଥିଲା । ସୁରକ୍ଷାକର୍ମୀଙ୍କ ଏତିକି କଥାରେ ତିନିଜଣ ଯୁବତୀ ଗାଡ଼ି ଭିତରୁ ବାହାରି ଗାଳିଫଜିତ୍ କରିଥିଲେ । ସେମାନଙ୍କ ଭିତରୁ ଜଣେ ସୁରକ୍ଷାକର୍ମୀଙ୍କ କଲର୍ ଧରିଥିବାର ସିସିଟିଭିରୁ ସ୍ପଷ୍ଟ ହୋଇଛି ।
ସୁରକ୍ଷାକର୍ମୀଙ୍କ ପ୍ରତି ମହିଳାଙ୍କ ଦୁର୍ବ୍ୟବହାର ପ୍ରଥମ ନୁହେଁ । ଏହା ପୂର୍ବରୁ ନିଶାରେ ଚୁର ଜଣେ ଧନୀ ମହିଳା ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କୁ ଚାପୁଡ଼ା ମାରି ଜେଲ ଯାଇଛନ୍ତି । ସଂପୃକ୍ତ ମହିଳା ବିଳମ୍ବିତ ରାତିରେ ଗାଡ଼ି ଚଳାଇ ତାଙ୍କ ଘର ଫାଟକ ନିକଟରେ ପହଂଚିଥିଲେ ।
ଫାଟକ ଖୋଲିବାରେ ଟିକିଏ ବିଳମ୍ବ ହେବାରୁ ନିଶାଗ୍ରସ୍ତ ମହିଳା ଜଣକ ସୁରକ୍ଷାକର୍ମୀଙ୍କୁ ଚାପୁଡ଼ା ମାରିବା ସହିତ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ସୁରକ୍ଷାକର୍ମୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାନ୍ୟବର କୋର୍ଟ ଅଭିଯୁକ୍ତ ମହିଳାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।