ଯୁବତୀଙ୍କୁ ୪ କିମି ଘୋଷାଡ଼ିନେଲା ଚଳନ୍ତା କାର
ଦୁର୍ଘଟଣା ଘଟାଇବା ପରେ ଯୁବକମାନେ ଦ୍ରୁତଗତିରେ କାର ଚଳାଇ ପଳାୟନ କରିଥିଲେ…..
ନୂଆଦିଲ୍ଲୀ: ନୂଆବର୍ଷର ଆନନ୍ଦ ଉଲ୍ଲାସ ଭିତରେ ରାଜଧାନୀ ଦିଲ୍ଲୀରେ ଜଣେ ୨୦ ବର୍ଷ ବୟସର ଯୁବତୀଙ୍କୁ ରାସ୍ତା ଉପରେ ଦୀର୍ଘ ୪ କିମି ଘୋଷାଡ଼ି ନିଆଯିବା ମାମଲାରେ ଦିଲ୍ଲୀ ପୁଲିସଙ୍କ କାର୍ଯ୍ୟାନୁଷ୍ଠାନ ଏବେ ଅନେକଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ମତରେ ଏହା ଏକ ମରଣାନ୍ତକ ଦୁର୍ଘଟଣା । କିନ୍ତୁ ପରିବାର ଲୋକ ଏହାକୁ ହତ୍ୟାକାଣ୍ଡ କହୁଛନ୍ତି । ମୃତକଙ୍କ ମା’ କହନ୍ତି ଯେ ତାଙ୍କ ଝିଅ ଗୁଡ଼ାଏ ପୋଷାକ ପିନ୍ଧି ଘରୁ ବାହାରିଥିଲେ । କିନ୍ତୁ ମୃତଦେହ ମିଳିଲା ବେଳକୁ ତାଙ୍କ ଶରୀରରେ ସୂତାଟିଏ ବି ନଥିଲା । ୟେ କି ପ୍ରକାରର ଦୁର୍ଘଟଣା?
ଘଟଣାରୁ ପ୍ରକାଶ, ଡିସେମ୍ବର ୩୧ ତାରିଖ ରାତିରେ ୫ଜଣ ଆରୋହୀଙ୍କୁ ଧରି ଯାଉଥିବା ଏକ ଚଳନ୍ତା କାର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଧକ୍କା ମାରିଥିଲା । ଦୁର୍ଘଟଣା ଘଟାଇବା ପରେ ଯୁବକମାନେ ଦ୍ରୁତଗତିରେ କାର ଚଳାଇ ପଳାୟନ କରିଥିଲେ । ପୀଡ଼ିତା ଯୁବତୀଟି ଉକ୍ତ କାରଟିର ତଳଭାଗରେ ପ୍ରାୟ ୪ କିମି ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲେ । ପୁଲିସ ସୂଚନା ମୁତାବକ ଘଟଣାସ୍ଥଳରେ ଯୁବତୀଙ୍କର ପ୍ରାଣହାନି ଘଟିଥିଲା । ପୁଲିସ ଅଭିଯୁକ୍ତ ୫ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଏହି ଘଟଣାରେ ଆମ୍୍ ଆଦ୍ମୀ ପାର୍ଟି କର୍ମକର୍ତାମାନେ ଲେଫ୍ଟନାଂଟ ଜେନେରାଲ ଭିକେ ସାକ୍ସେନାଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ଏଲଜି, ପୁଲିସ କମିଶନର ଓ ସୁଲତାନପୁରୀ ଥାନାଧିକାରୀଙ୍କ ବହିଷ୍କାର ଦାବି କରିଛି । ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ପାଣିମାଡ଼ କରିବାକୁ ପଡ଼ିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ତିନିଜଣିଆ ଡାକ୍ତର ଟିମ ଗଠନ କରାଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ହତ୍ୟା ମାମଲା ରୁଜୁ କରାଯାଇପାରେ । ଅଭିଯୁକ୍ତମାନଙ୍କର ମେଡିକାଲ ଟେଷ୍ଟ କରାଯିବା ଦରକାର । ଅଭିଯୁକ୍ତମାନେ ନିଶାଗ୍ରସ୍ତ ଅବସ୍ଥାରେ ଗଥିବାର ମନେ କରାଯାଏ ।