ରାଞ୍ଚି: ଫୋନରେ କଥା ହେବାକୁ ମନା କରିବାରୁ ନାବାଳିକାଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଦୀର୍ଘ ୫ ଦିନ ହେବ ମରଣ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା । ଏହି ଘଟଣାକୁ ନେଇ ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି । ଦୀର୍ଘ ୫ ଦିନ ସଂଘର୍ଷ ପରେ ନାବାଳିକା ହସ୍ପିଟାଲରେ ଆଖି ବୁଜିଛି । ଏହି ଖବର ପ୍ରଚାରିତ ହେବା ପରେ ଲୋକେ ରାସ୍ତାକୁ ଓହ୍ଲାଇ ଦୁମକା ଟାୱାର ଛକକୁ ଜାମ କରିଦେଇଥିଲେ ।
ପରିସ୍ଥିତିକୁ ନିୟମନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିଲା । ସୂଚନା ଅନୁଯାୟୀ, ଦୁମକା ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କ ଫୋନ ନମ୍ବର ଯୋଗାଡ଼ କରି ତାଙ୍କୁ ବାରମ୍ବାର ଫୋନ କରୁଥିଲେ । ଏପରିକି ତାଙ୍କ ସହ କଥା ହେବାକୁ କହୁଥିବା ବେଳେ ନାବାଳିକା ଏଥିରେ ରାଜି ହେଉ ନଥିଲେ । ଗତ ୨୩ତାରିଖ ବିଳମ୍ବିତ ରାତ୍ରିରେ ହଠାତ୍ ନାବାଳିକାଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା ।
ଏହା ଶୁଣି ଘର ଲୋକେ ଉଠି ପଡ଼ିଥିଲେ । ସେମାନେ ଅଙ୍କିତା ଜଳୁଥିବା ଦେଖିବାକୁ ପାଇଲେ । ସେମାନେ ତାଙ୍କୁ ଦୁମକା ମେଡିକାଲ କଲେଜ ଓ ପରେ ରାଞ୍ଚିସ୍ଥିତ ରିମ୍ସରେ ଭର୍ତ୍ତି କରିଥିଲେ । ସେଠାରେ ୫ ଦିନର ସଂଘର୍ଷ ପରେ ସେ ଆଖି ବୁଜିଛନ୍ତି । ସେହିପରି ଅଭିଯୁକ୍ତକୁ ଫାସି ଦିଆଗଲେ ଆମ ଆତ୍ମା ଶାନ୍ତି ପାଇବ ବୋଲି ତାଙ୍କ ଜେଜେମା’ କହିଛନ୍ତି ।