ଦେଶରେ ବଢୁଛି ମଙ୍କିପକ୍ସ ଚିନ୍ତା
ଏହା ପୂର୍ବରୁ କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିଲା….
ନୂଆଦିଲ୍ଲୀ : ଦିଲ୍ଲୀରେ ରହୁଥିବା ନାଇଜେରିଆର ଅନ୍ୟ ଜଣେ ବ୍ୟକ୍ତି ମଙ୍କିପକ୍ସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏହା ପୂର୍ବରୁ କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିଲା । ସୂଚନା ମୁତାବକ, ଦିଲ୍ଲୀରେ ରହୁଥିବା ଏବଂ ବିଦେଶ ଭ୍ରମଣର କୌଣସି ଇତିହାସ ନଥିବା ନାଇଜେରିଆର ୩୫ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣ ପରେ ଚିକିତ୍ସା ପାଇଁ ରୋଗୀଙ୍କୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଦେଶରେ ଗତକାଲି ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହେବାକୁ ଲାଗିଛି । ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବା ପରେ ମଙ୍କିପକ୍ସକୁ ନେଇ ଭୟ ବଢ଼ିଛ । ନିକଟରେ ୟୁଏଇରୁ କେରଳ ଫେରିଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବାପରେ କେନ୍ଦ୍ର ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍କିପକ୍ସ ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି ।