ବହୁତ ଯନ୍ତ୍ରଣା ହେଉଛି : ଅଖତର

ହେଲେ ଆପଣମାନଙ୍କ ଆଶୀର୍ବାଦ ଦରକାର….

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏବେ ହସ୍ପିଟାଲରେ ତାଙ୍କର ଆଣ୍ଠୁର ସର୍ଜରୀ କରାଯାଇଛି । ଦୀର୍ଘଦିନଧରି ଆଣ୍ଠୁରେ ସମସ୍ୟା ଲାଗି ରହିଥିବା ବେଳେ ସେ ଏକାଧିକ ଥର ସର୍ଜରୀ କରାଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ୬ ଥର ପାଇଁ ସେ ସର୍ଜରୀ କରାଇଛନ୍ତି । ଏହାପରେ ସେ ଏକ ଭାବବିହ୍ୱଳ ଭିଡିଓ ଶେୟାର କରିଛନ୍ତି । ଭିଡିଓ ଶେୟାର କରି ଅଖତର କହିଛନ୍ତି, ସର୍ଜରୀ ରୁମରୁ ବାହାରିଛି । ୫ରୁ ୬ ଘଣ୍ଟା ଧରି ଉଭୟ ଆଣ୍ଠୁର ସର୍ଜରୀ କରାଯାଇଥିଲା । ବହୁତ କଷ୍ଟ ଲାଗୁଛି । ହେଲେ ଆପଣମାନଙ୍କ ଆଶୀର୍ବାଦ ଦରକାର । ଆଶା କରୁଛି ଏହା ମୋର ଶେଷ ସର୍ଜରୀ ହେବ । ଅବସରର ୧୧ ବର୍ଷ ପରେ ବି ବହୁତ କଷ୍ଟରେ ଅଛି ।

ମୁଁ ଆଉ ଚାରି ପାଞ୍ଚ ବର୍ଷ କ୍ରିକେଟ ଖେଳି ପାରିଥାନ୍ତି । ହେଲେ ମୁଁ ଖେଳିଥିଲେ ଆଉ ଚାଲି ପାରି ନ ଥାନ୍ତି । ଏହି କାରଣରୁ କ୍ରିକେଟରୁ ସନ୍ୟାସ ନେଇଗଲି । ଆପଣଙ୍କୁ ହାଡ ହରାଇବାକୁ ପଡେ । ହେଲେ କିଛି କଥା ନାହିଁ । ମୋତେ ପାକିସ୍ତାନ ପାଇଁ ପୁଣି ଥରେ ସେଭଳି କରିବାକୁ ପଡ଼ିଲେ କରିବି ବୋଲି ସେ କହିଛନ୍ତି ।