ନୂଆଦିଲ୍ଲୀ: ଦେଶରେ ଯୁବତୀଙ୍କ ନିଲାମି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି ଜାତୀୟ ମହିଳା କମିଶନ । ମାମଲାର ଖୋଳତାଡ଼ ପାଇଁ ଏକ କମିଟି ଗଠନ କରାଯାଇଛି । ରାଜସ୍ଥାନର ଭିଲୱାଡ଼ାରେ କରଜ ସୁଝିବା ପାଇଁ ଝିଅମାନଙ୍କୁ ବିକା ଯାଉଥିବାର ସୂଚନା ପାଇବା ପରେ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଜାତୀୟ ମହିଳା କମିଶନ ଦୁଇସଭ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ କରିଛି । ଗଣମାଧ୍ୟମରେ ପ୍ରକାଶିତ ଯୁବତୀ ନିଲାମ ଖବରକୁ ସମ୍ବେଦନଶୀଳ ପ୍ରସଙ୍ଗ ଅଭିହିତ କରିଛି କମିଶନ ।
ଭିଲୱାଡ଼ାର ବହୁ ବସ୍ତିରେ ଯୁବତୀଙ୍କୁ ନିଲାମ ଚାଲିଛି । ନାବାଳିକା, କିଶୋରୀ ଓ ବିବାହଯୋଗ୍ୟା ଝିଅମାନଙ୍କୁ ବିକି ଦିଆଯିବାର ମୂଳ ଉଦ୍ଦେଶ୍ୟ ଋଣ ପରିଶୋଧ । ଝିଅମାନଙ୍କୁ ଦେହ ବ୍ୟବସାୟରେ ଲଗାଇ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି ବ୍ୟବସାୟୀ । ଷ୍ଟାମ୍ପ ପେପର ଉପରେ ଦସ୍ତଖତ କରି ଝିଅମାନଙ୍କୁ ବିକିଦେଉଛି ଗ୍ରାମ ପଂଚାୟତ । କେତେକ ଘଟଣାରେ ବିକ୍ରିଯୋଗ୍ୟା ଝିଅର ମା’ ନିଲାମ ପ୍ରକ୍ରିୟାକୁ ପ୍ରତିବାଦ କରି ଗଣଦୁଷ୍କର୍ମର ଶିକାର ହେଉଛନ୍ତି ।
ସାରା ଭାରତରେ ଝିଅ ବିକା ଧନ୍ଦା ଚାଲିଥିଲା ରାଜସ୍ଥାନ ଓ ହରିଆଣା ଏପରି ମାମଲା ସର୍ବାଧିକ । ବିଶେଷ କରି ଗରିବ ପରିବାରର ଝିଅମାନଙ୍କୁ ବିକି ଦିଆଯାଉଛି । ଅଧିକାଂଶ ମାମଲାରେ ଝିଅମାନଙ୍କ ଅଭିଭାବକ ସହମତି କାମ କରୁଛି । ତେବେ ହାତଗଣତି ମାମଲାରେ ଖାପ୍ ବା ଜାତିଗତ ପଂଚାୟତ ଝିଅମାନଙ୍କର ଭବିଷ୍ୟତ ସହିତ ଖେଳୁଛନ୍ତି । ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି । ରାଜସ୍ଥାନ ଡିଜିପିଙ୍କ ନିକଟକୁ ମଧ୍ୟ ଜାତୀୟ ମହିଳା କମିଶନ ଚିଠି ଏଭଳି ଧନ୍ଦା କରୁଥିବା ମହା ପଂଚାୟତ ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲୋଡ଼ିଛନ୍ତି ।