‘ନିଷ୍ଠୁର ସର୍ତ ମାନିବା ଛଡ଼ା ଅନ୍ୟ ବାଟ ନାହିଁ’

ପାକିସ୍ତାନ ବେକ ମୋଡ଼ିଲା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି….

ନୂଆଦିଲ୍ଲୀ: ପାକିସ୍ତାନ ଜନତାଙ୍କ ମୁହଁରେ ଟିକେ ହସ ଫୁଟାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ) କଠିନ ସର୍ତାବଳୀ ମାନିବାକୁ ବାଧ୍ୟ ହୋଇଛନ୍ତି । ପାକିସ୍ତାନର ଆର୍ଥିକ ସଂକଟ ଏବେ କଣ୍ଠାଗ୍ରତ । ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ସାଧାରଣ ଖାଉଟି ଘୋର ହିନସ୍ତା ଭୋଗୁଛନ୍ତି । ଶାସନ ପରିଚାଳନା କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ ।

ଉକ୍ରଟ ପରିସ୍ଥିତିରୁ ମୁକୁଳିବା ପାଇଁ ପାକିସ୍ତାନ ସରକାର ବିଶ୍ୱର ପ୍ରାୟ ସବୁ ଧନୀ ଦେଶଗୁଡ଼ିକ ନିକଟରେ ହାତ ପତାଇ ସାରିଛନ୍ତି । ସାଉଦି ଆରବକୁ ବାଦ୍‌ ଦେଲେ ଆଉ କୌଣସି ରାଷ୍ଟ୍ର ପାକିସ୍ତାନ ପ୍ରତି ସହାନୁଭୂତି ଦେଖାଇ ନାହାନ୍ତି । ବିନା ସ୍ୱାର୍ଥରେ ଚୀନ ପାକିସ୍ତାନକୁ ଅଧୁଲିଟିଏ ଦେବ ନାହିଁ । ପାକିସ୍ତାନ ଏବେ ସେହି କଥା ଜାଣିପାରିଛି । ଅଗତ୍ୟା ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ ନିକଟରେ ମୁଣ୍ଡ ନୁଅାଁଇବାକୁ ବାଧ୍ୟ ହୋଇଛି ।

ଲୋକଙ୍କ ଉପରେ ଅଧିକ ଟିକସ ଚାପ ନ ପକାଇବା ଓ ଜିରୋ ଅନୁକମ୍ପା ରାଶି ସର୍ତରେ ଆଇଏମ୍‌ଏଫ୍‌ ପାକିସ୍ତାନକୁ ଚଢ଼ା ସୁଧରେ ଋଣ ଦେବାକୁ ରାଜି ହୋଇଛି । ମଙ୍ଗଳବାର ଆଇଏମ୍‌ଏଫ୍‌ ପ୍ରତିନିଧି ମଣ୍ଡଳୀ ପାକିସ୍ତାନରେ ପହଂଚି ପ୍ରଧାନମନ୍ତ୍ରୀ ଶରିଫଙ୍କ ସହିତ ଆଲୋଚନା କରିଥିଲେ । କରାଚୀ ବନ୍ଦରରେ ବହୁ ବିଦେଶୀ ଜାହାଜ ଠିଆ ହୋଇଛି । ବନ୍ଦର ମାଲଗୋଦାମରେ ହଜାର ହଜାର ସଂଖ୍ୟକ ବିଦେଶୀ କଂଟେନର ପଡ଼ିରହିଛି ।

ପ୍ରତି କଂଟେନର ଭିତରେ ଟନଟନ୍‌ ପରିମାଣର ଖାଦ୍ୟସାମଗ୍ରୀ, ଔଷଧ, ପୋଷାକପତ୍ର ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରହିଛି । ବିଗତ ୪୮ ବର୍ଷ ଭିତରେ ପାକିସ୍ତାନ କେବେ ଏପରି ସଂକଟରେ ପଡ଼ି ନଥିଲା । ଅକ୍ଟୋବରରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଆଇଏମ୍‌ଏଫ୍‌ କିସ୍ତି ମୁତାବକ ଋଣ ଦେବାକୁ ରାଜି ହୋଇଛି । ଗରିବ ପରିବାରକୁ ରିହାତି ମୂଲ୍ୟରେ ପେଟ୍ରୋଲ, ବିଜୁଳି ଓ ଗ୍ୟାସ ଯୋଗାଣ କରିବାକୁ ଆଇଏମ୍‌ଏଫ୍‌ ପରାମର୍ଶ ପ୍ରଦାନ କରିଛି ।