ଚୋର ମନ ଗଣ୍ଠିଲିରେ: ଭାରତ ଆସିବେନି ଚୀନ ରାଷ୍ଟ୍ରପତି ଜିନପିଙ୍ଗ

ଭାରତ ଆସିବା ପାଇଁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଅମଙ୍ଗ । କ’ଣ ପାଇଁ? ତା’ର ଜବାବ ଜିନପିଙ୍ଗଙ୍କ ପାଖରେ । ମାତ୍ର ସେ କିଛି କହିବା ସ୍ଥିତିରେ ନାହାନ୍ତି । କଥା କ’ଣ କି? ଚୀନର ଆର୍ଥିକ ସ୍ଥିତି ମାନ୍ଦା ଆଡ଼କୁ ଗତି କରୁଥିଲା ବେଳେ ଭାରତର ଅର୍ଥନୀତିକୁ ବିଶ୍ୱବାସୀ ପ୍ରଶଂସା କରୁଛନ୍ତି । ଜି-୨୦ରେ ସାମିଲ ହୋଇ ତା’ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ନଦେବା ଅତି ଅସୁନ୍ଦର । କିନ୍ତୁ ଅହଂକାରୀ ଚୀନ ଆପଣା ଦୁନିଆରେ ମସଗୁଲ । ଦୁନିଆ ଧ୍ୱଂସମୁଖରେ ପଡ଼ିଲେ ତା’ର କିଛି ଯାଏ ଆସେ ନାହିଁ । ଏଭଳି ଚିନ୍ତାଧାରା ରଖିଥିବା ଦେଶଗୁଡ଼ିକ ସାରା ବିଶ୍ୱ ପାଇଁ ମହାବିପଦ ।

‘ବସୁଧୈବ କୁଟୁମ୍ବକମ୍‌’ ଶବ୍ଦଟିକୁ ଚୀନ ସହଜରେ ଗ୍ରହଣ କରିପାରୁନି । ‘ସାରାବିଶ୍ୱକୁ ଗୋଟିଏ ପରିବାର’ ଭାବେ ଆଦରି ନେଉଥିବା ମାନସିକତାକୁ ଚୀନ ପ୍ରବଳ ବିରୋଧ କରିଛି । ଜି-୨୦ ଗୋଠର ସବୁ ଦେଶ ‘ବସୁଧୈବ କୁଟୁମ୍ବକମ’କୁ ପ୍ରତିବାଦ କରିନାହାନ୍ତି । ଜିନପିଙ୍ଗ ନଆସି ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀ ପଠାଇବେ ବୋଲି ଚୀନର ସରକାରୀ ଖବରକାଗଜ ସୂତ୍ରରୁ ପ୍ରକାଶ ।

ସୀମା ପ୍ରସଙ୍ଗକୁ କେନ୍ଦ୍ର କରି ଚୀନ ସର୍ବଦା ଭାରତକୁ ନାନା ଝାମେଲାରେ ପକାଇ ଚାଲିଛି । କମାଣ୍ଡର ସ୍ତରରେ ବହୁବାର ଆଲୋଚନା କଲେ ମଧ୍ୟ ତା’ର ସୁଫଳ ନାହିଁ । ଚୀନର ବସୁଧୈବ କୁଟୁମ୍ବକମ’ ପ୍ରତିବାଦକୁ ରୁଷିଆ ନାପସନ୍ଦ କରିଛି । ଆମେରିକା ରାଷ୍ଟ୍ରପତି ବାଇଡେନ ଶତଚେଷ୍ଟା କରି ଜିନପିଙ୍ଗଙ୍କୁ ନୂଆଦିଲ୍ଲୀ ପାଇଁ ମନାଇ ପାରିଲେନି । ନୂଆଦିଲ୍ଲୀ ସମ୍ମିଳନୀକୁ ସବୁ ସଭ୍ୟ ରାଷ୍ଟ୍ରନେତା ଆସୁଥିବା ବେଳେ ରୁଷିଆ ରାଷ୍ଟ୍ରପତି ପୁଟିନ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆସୁନାହାନ୍ତି ।

ଏହି ଦୁଇଦେଶ ଜି-୨୦ର ଅନ୍ୟ ସବୁ ସଭ୍ୟଦେଶକୁ ପାସଙ୍ଗରେ ପକାଉ ନାହାନ୍ତି । କେବଳ ବେପାର ପାଇଁ ରୁଷିଆ ଓ ଚୀନ ଜି-୨୦ ଗୋଠରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀରେ ଅପ୍ରୀତିକର ପରିସ୍ଥିତିରେ ଫସିଯିବାର ଆଶଙ୍କା କରି ଜିନପିଙ୍ଗ ଆସୁନାହାନ୍ତି । ଅନ୍ୟ ପକ୍ଷରେ ୟୁକ୍ରେନ ହମଲାକୁ ନେଇ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭାରତର ଗଣମାଧ୍ୟମ ଘେରିପାରନ୍ତି ।