ଇଏ ବି ଗୋଟିଏ ବଂଚିବାର କଳା: ବିବାହିତ ପୁରୁଷଙ୍କର ଦ୍ୱିତୀୟ ପତ୍ନୀ ହୋଇ ଲୁଟୁଥିଲେ, ଧରାପଡ଼ିଗଲେ

ମହାରାଷ୍ଟ୍ରର ନାଗପୁର ଅଂଚଳର ଘଟଣା । ଜଣେ ନୁହେଁ ଦୁଇଜଣ । ଭିନ୍ନ ଭିନ୍ନ ସମୟରେ ପ୍ରାୟ ଆଠ ଜଣ ବିବାହିତ ପୁରୁଷଙ୍କୁ ବିବାହ କରିବା ପରେ ସେମାନଙ୍କୁ ଆଇନ ଅଦାଲତକୁ ଟାଣି ନେବାର ବାହାନା କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଲିସ ଜଣେ ସୁନ୍ଦରୀ ଯୁବତୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଯୁବତୀଙ୍କ ନାମ ସମିରା ଫାତିମା ।

ପୁଲିସ ପ୍ରାଥମିକ ଅନୁସନ୍ଧାନ କରିବା ପରେ କହିଛି, ସମିରା ସୋସିଆଲ ମିଡିଆ ଜରିଆରେ ବିବାହିତ ପୁରୁଷଙ୍କ ସହିତ ସଂପର୍କ ରକ୍ଷା କରୁଥିଲା । ସମିରା ନିଜକୁ ଜଣେ ଛାଡ଼ପତ୍ର ଗ୍ରହଣ କରିଥିବା ମହିଳା ଦର୍ଶାଇ ସଂପୃକ୍ତ ବିବାହିତ ପୁରୁଷଙ୍କର ଦ୍ୱିତୀୟ ପତ୍ନୀ ହୋଇ ରହିବାକୁ ପ୍ରସ୍ତାବ ଦିଅନ୍ତି । ବିବାହ ପରେ ସଂପୃକ୍ତ ପୁରୁଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାର ଧମକ ଦେଇ ମୋଟା ଅଙ୍କ ଦାବି କରୁଥିଲେ ।

ସବୁଦିନ ସମାନ ଯାଏନା । ୨୦୨୩ ମାର୍ଚ୍ଚ ମାସରେ ଗୁଲାମ ପଠାନ ନାମକ ଜଣେ ବ୍ୟକ୍ତି ସମୀରାଙ୍କ ନାମରେ ଗିଟ୍ଟିଖାଦାନ ପୁଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ମାମଲାର ଖୋଳତାଡ଼ କରିଥିଲା । ପୁଲିସ କହିଛି ଯେ ସମୀରା ଜଣେ ଶିକ୍ଷୟିତ୍ରୀ । ୨୦୧୦ ମସିହାରୁ ସେ ଏକାଧିକ ପୁରୁଷଙ୍କୁ ବିବାହ କରି ଆସୁଛନ୍ତି । ଘଟଣାକ୍ରମରେ ସବୁ ସ୍ୱାମୀଙ୍କ ନିକଟରୁ ପ୍ରାୟ ୫୦ ଲକ୍ଷ ଟଙ୍କା ଚଳୁ କରି ସାରିଛନ୍ତି ।