ଏମିତି ଆସେ ମୃତ୍ୟୁ ବୟସ ମାତ୍ର ୯ ବର୍ଷ । ଜୀବନକୁ ଭଲ କରି ଜାଣିବା ପୂର୍ବରୁ ଚାଲିଗଲା ଅଜଣା ରାଇଜକୁ । ବୁଧବାର ଦିନ ରାଜସ୍ଥାନର ଶିକର ଅଂଚଳର ଛାତିଥରା ଘଟଣା । ଝିଅଟିର ନାମ ପ୍ରାଚୀ କୁମାବତ୍ । ଶିକରସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ । ସବୁଦିନ ଭଳି ସେଦିନ ବିଦ୍ୟାଳୟକୁ ଯାଇଥିଲା । ସାଥୀମାନଙ୍କ ଗହଣରେ ସାଙ୍ଗରେ ନେଇଥିବା ଟିଫିନ୍ ବାକ୍ସଟିକୁ ଖୋଲିବାକୁ ଚେଷ୍ଟା କରୁଥିଲା ।
ହଠାତ ଛାତିରେ ଅନୁଭବ କଲା ଯନ୍ତ୍ରଣା । ଟିଫିନ୍ ବାକ୍ସଟିକୁ ଛାଡ଼ି ଦେଇ ଛାତିକୁ ଦୁଇ ହାତରେ ଚାପି ଧରିଲା । ତଳେ ଗଡ଼ିଗଲା । ଯନ୍ତ୍ରଣା ପରେ ଯନ୍ତ୍ରଣା । ପାଖରେ ଥିବା ସାଙ୍ଗମାନେ ଶିକ୍ଷୟିତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ । ଶିକ୍ଷୟିତ୍ରୀ ପିଲାଟି ପାଖରେ ପହଂଚିଲା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା ।
ବିଦ୍ୟାଳୟର କର୍ମଚାରୀମାନେ ଝିଅଟିକୁ ସାଙ୍ଗେ ସାଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ । ଡାକ୍ତର ଝିଅଟିକୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଝିଅଟିର ପରିବାରରେ କେହି କେବେ ହୃଦଘାତର ଶିକାର ହୋଇ ମରିଥିବାର ତଥ୍ୟ ନାହିଁ ବୋଲି ମୃତ ଝିଅଟିର ବାପା କହିଛନ୍ତି ।