ଭାରତର ବାଘ, ସେମି ଫାଇନାଲରେ ଫାଘ

ପରାଜୟର ବିରଳ ରେକର୍ଡ କଲା ଭାରତ….

ନୂଆଦିଲ୍ଲୀ: ଆଇପିଏଲର ବାଘଗୁଡ଼ାକ ଟି-୨୦ ବିଶ୍ୱକପରେ ଫାଘକୁ ବଳି ଯାଇଛନ୍ତି । ଟିମ୍‌ ଇଣ୍ଡିଆର ପାଂଚଟି ମସ୍ତବଡ଼ ଭୁଲ ଇଂଲଣ୍ଡକୁ ଫାଇନାଲକୁ ପଠାଇଲା ବୋଲି ଚାରିଆଡେ଼ ଆଲୋଚନା ଚାଲିଛି । ଇଂଲଣ୍ଡଠାରୁ ୧୦ ୱିକେଟ୍‌ରେ ପରାଜିତ ହୋଇ ଭାରତ ଟି-୨୦ ବିଶ୍ୱକପ୍‌ ଦୁନିଆରେ ବିରଳ ରେକର୍ଡ ପ୍ରତିଷ୍ଠା କରିଛି । ଅନ୍ୟ କୌଣସି ଦେଶ ଏଭଳି ଶୋଚନୀୟ ପରାଜୟ ବରଣ କରିନାହିଁ । ଟିମ୍‌ ଇଣ୍ଡିଆ ତିନୋଟି ଯାକ ଫର୍ମରେ ସଂପୂର୍ଣ୍ଣ ଦୁର୍ବଳ । ବ୍ୟାଟିଂ ଫେଲ, ବୋଲିଂ ଫେଲ୍‌ ଓ ଫିଲଡିଂ ଫେଲ୍‌ ।

ଫିକା ପଡ଼ିଗଲେ ରୋ-ହିଟ୍‌, କିଙ୍ଗ କୋହଲି, ମିଷ୍ଠର ୩୬୦ ଡିଗ୍ରୀ, କୁଙ୍ଗଫୁ ପାଣ୍ଡ୍ୟା, ସ୍ୱିଙ୍ଗ୍‌ କା କିଙ୍ଗ । ବ୍ୟାଟ୍‌ ଧରି ମଇଦାନକୁ ଗଲେ ୮ ଖେଳାଳି । ସେମାନଙ୍କ ଭିତରୁ କ୍ରିକେଟ୍‌ପ୍ରେମୀଙ୍କୁ ନିରାଶ କଲେ ୬ ଖେଳାଳି । ବଡ କଷ୍ଟେମଷ୍ଟେ ଟିମ୍‌ ଇଣ୍ଡିଆ ୧୬୮ ରନ୍‌ କଲା । ଇଣ୍ଡିଆ ବୋଲରଙ୍କୁ ଭଲ କରି ପିଟିବା ମତଲବରେ ଇଂଲଣ୍ଡ କ୍ୟାପଟେନ୍‌ ବଟଲର ଓ ଓପନର୍‌ ଆଲେକ୍ସ ହେଲ୍ସ ପଡ଼ିଆ ଭିତରକୁ ମାଡ଼ିଗଲେ । ପ୍ରତି ଓଭର ପିଛା ୧୦.୬୨ ରନ୍‌ ହାରରେ ୧୬ ଓଭରରେ ଖେଳ ସାରିଦେଲେ ।

ହେଲ୍ସ ଚାରିଟି ଚୌକା ଓ ୭ଟି ଛକା ବଳରେ ଅପରାଜିତ ୮୬ ରନ୍‌ କଲେ । ଅଧିନାୟକ ଜୋସ୍‌ ବଟଲର ୯ଟି ଚୌକା ଓ ତିନୋଟି ଛକା ବଳରେ ଅପରାଜିତ ୮୦ ରନ୍‌ କରି ଦଳକୁ ଫାଇନାଲରେ ପହଂଚାଇଲେ । ଟି-୨୦ ବିଶ୍ୱକପ୍‌ ଇତିହାସରେ ଅନୁଷ୍ଠିତ ୧୬ଟି ସେମି ଫାଇନାଲ ଭିତରେ ଏପରି ଲଜ୍ଜାଜନକ ପରାଜୟ ଅନ୍ୟ କୌଣସି ଦଳ ଭାଗ୍ୟରେ ଜୁଟି ନଥିଲା । ଗୋଟିଏ ଅବା ଦୁଇଟି ୱିକେଟ୍‌ ବିନିମୟରେ ହାରିଥିଲେ ଚଳିଥାନ୍ତା ।

ମାତ୍ର ୧୦ ୱିକେଟ୍‌ ବ୍ୟବଧାନରେ ଇଣ୍ଡିଆ ହାରିବା ବହୁ କ୍ରିକେଟ୍‌ପ୍ରେମୀଙ୍କ ମୁଣ୍ଡକୁ ଲାଜରେ ନୁଅାଁଇ ଦେଇଛି । ସେହିଭଳି ଇଂଲଣ୍ଡ ଭାରତକୁ ୧୦ ୱିକେଟ ବ୍ୟବଧାନରେ ଜିତିବାର ରେକର୍ଡ ପ୍ରତିଷ୍ଠା କରିଛି । ତା’ ସହିତ ସର୍ବନିମ୍ନ ବଲରୁ ବିଜୟ ମୁକୁଟ ପିନ୍ଧିବାର ଗୌରବ ପ୍ରତିଷ୍ଠା କରିଛି । ୨୦୧୦ରେ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ଶ୍ରୀଲଙ୍କାକୁ ୧୬ ଓଭରରେ ହରାଇ ବିରଳ ରେକର୍ଡ ପ୍ରତିଷ୍ଠା କରିଥିଲା ।