ନୂଆଦିଲ୍ଲୀ: ତୈଳ କମ୍ପାନୀଗୁଡ଼ିକ ଦ୍ବାରା ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି । ପେଟ୍ରୋଲ ଲିଟର ପ୍ରତି ୭୫ରୁ ୮୪ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଦର ମଧ୍ୟ ୭୫ ରୁ ୮୫ ପଇସା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଆଜି ବି ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଓ ଡିଜେଲ ୯୬. ୬୭ ଟଙ୍କା ରହିଛି ।
ସେହିପରି ମୁମ୍ବାଇରେ ଗତକାଲି ପେଟ୍ରୋଲ ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଥିବା ବେଳେ ଆଜି ମଧ୍ୟ ମୁମ୍ବାଇରେ ପୁଣି ପେଟ୍ରୋଲ ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଛି । ଆଜିର ବୃଦ୍ଧି ଦରକୁ ମିଶାଇ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୨୦ ଟଙ୍କା ୫୧ ପଇସା ଓ ଡିଜେଲ ୧୦୪ ଟଙ୍କା ୭୭ ପଇସା ରହିଛି । କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୧୫.୧୨ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ୯୯.୮୩ ଟଙ୍କା ରହିଛି । ଏଥି ସହିତ ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୧୦.୮୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୦.୯୪ ଟଙ୍କା ରହିଛି ।