ଭ୍ଲାଡିଭୋଷ୍ଟୋକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତିର ଅନୁବାଦ (ସେପ୍ଟେମ୍ବର ୦୪ ,୨୦୧୯ )

ଏବଂ ଏହାର ସଫଳତା କେବଳ ପରିମାଣିକ ନୁହେଁ ଗୁଣାତ୍ମକ ପରିବର୍ତ୍ତନ ମଧ୍ୟ ଆଣିଛି….

ମହାମହିମ ରାଷ୍ଟ୍ରପତି ପୁଟିନ୍

ବନ୍ଧୁଗଣ

ନମସ୍କାର

ଡୋବ୍‌ରେ ଭେଚର!

ଯେଉଁଠାରେ ପ୍ରଭାତ ସମଗ୍ର ବିଶ୍ୱରେ ପ୍ରଥମେ ଆସେ, ଯେଉଁଠାରେ ଆମର ଋଷୀୟ ବନ୍ଧୁମାନଙ୍କ ଅବିସ୍ମରଣୀୟ ସଂଗ୍ରାମର ବିଜୟ ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଛି ଏବଂ ଏକବିଂଶ ଶତାବ୍ଦୀରେ ମାନବ ବିକାଶର ନୂତନ କାହାଣୀ ଲେଖାଯାଉଛି । ମୁଁ ଏପରି ଏକ ମହାନ ସ୍ଥାନ-ଭ୍ଲାଡିଭୋଷ୍ଟୋକକୁ ଆସି ଅତ୍ୟନ୍ତ ଆନନ୍ଦିତ  ଏବଂ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ନିମନ୍ତ୍ରଣରେ ଏହା ସମ୍ଭବ ହୋଇଛି। ଏଥିପାଇଁ ମୁଁ ମୋର ବନ୍ଧୁ – ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଦେଉଛି। ଏହି ନିମନ୍ତ୍ରଣ, ଯାହା ମୋତେ ଭ୍ଲାଡିଭୋଷ୍ଟୋକ ଗସ୍ତରେ ଆସିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଦେଇଛି। ଏଥିପାଇଁ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ମୁଁ କୃତଜ୍ଞ।

ଏବଂ ଏହା ଏକ ଆନନ୍ଦଦାୟକ ଐତିହାସିକ ମୁହୂର୍ତ୍ତ ଯେ ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଭାରତ ଏବଂ ଋଷ ମଧ୍ୟରେ ବିଂଶତମ ବାର୍ଷିକ ସମ୍ମିଳନୀରେ ଭାଗ ନେଇଛୁ। 2001 ମସିହାରେ, ଯେତେବେଳେ ପ୍ରଥମ ଥର ପାଇଁ ଋଷ ରେ ଭାରତ-ରୁଷିଆ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ମୋର ବନ୍ଧୁ ପୁଟିନ ଋଷ ର ରାଷ୍ଟ୍ରପତି ଥିଲେ ଏବଂ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ଜୀଙ୍କ ସହ ଭାରତର ପ୍ରତିନିଧୀ ଦଳରେ ଥିଲି ଏବଂ ମୁଁ ଥିଲି ଗୁଜୁରାଟର ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ପୁଟିନ ଏବଂ ମୋର ରାଜନୈତିକ ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏବଂ ସହଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବହୁ ଦୂର ଯାଇଛି।

ଏହି ସମୟ ମଧ୍ୟରେ, ଆମର ସ୍ବତନ୍ତ୍ର ଏବଂ ସୁବିଧାଜନକ କୌଶଳ ଭାଗିଦାରୀ କେବଳ ଆମ ଦେଶର ରଣନୈତିକ ସ୍ୱାର୍ଥକୁ ସେବା ପ୍ରଦାନ କରିନାହିଁ, ବରଂ ଆମେ ଏହାକୁ ଲୋକଙ୍କ ବିକାଶ ଏବଂ ସେମାନଙ୍କର ପ୍ରତ୍ୟକ୍ଷ ଲାଭ ସହିତ ଯୋଡିଛୁ। ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଏହି ସମ୍ପର୍କକୁ ବିଶ୍ୱାସ ଏବଂ ଅଂଶଗ୍ରହଣ ମାଧ୍ୟମରେ ସହଯୋଗର ନୂତନ ଉଚ୍ଚତାକୁ ନେଇଛୁ। ଏବଂ ଏହାର ସଫଳତା କେବଳ ପରିମାଣିକ ନୁହେଁ ଗୁଣାତ୍ମକ ପରିବର୍ତ୍ତନ ମଧ୍ୟ ଆଣିଛି | ପ୍ରଥମେ, ଆମେ ଲୋକମାନଙ୍କ କ୍ଷେତ୍ରରୁ ସହଯୋଗ ଆଣିଛୁ ଏବଂ ଘରୋଇ ଶିଳ୍ପର ଅପାର ଶକ୍ତି ଯୋଡିଛୁ। ଆଜି ଆମର ଅନେକଗୁଡ଼ିଏ ବ୍ୟବସାୟ ଚୁକ୍ତି ରହିଛି।

ପ୍ରତିରକ୍ଷା ଭଳି କୌଶଳଗତ କ୍ଷେତ୍ରରେ ମଧ୍ୟ ଭାରତର ଉଭୟ ଦେଶର ଯୁଗ୍ମ ଉଦ୍ୟମ ଦ୍ୱାରା ଋଷୀୟ ଉପକରଣର ଅତିରିକ୍ତ ଅଂଶ ଉତ୍ପାଦନ ଉପରେ ଆଜି ହୋଇଥିବା ରାଜିନାମା ଶିଳ୍ପକୁ ପ୍ରୋତ୍ସାହିତ କରିବ। ଏହି ଚୁକ୍ତିନାମା ଏବଂ ଏକେ-203 ର ମିଳିତ ଉଦ୍ୟମ ହେଉଛି ଏକ ପଦକ୍ଷେପ ଯାହାକି ଆମର ପ୍ରତିରକ୍ଷା ସହଯୋଗକୁ କ୍ରେତା-ବିକ୍ରେତାଙ୍କ ସୀମିତ ପରିବେଶ ବାହାରେ ସହ-ଉତ୍ପାଦନର ଏକ ଦୃଢ଼ ମୂଳଦୁଆ ପ୍ରଦାନ କରୁଛି।

ଭାରତରେ ଋଷର ସହଯୋଗରେ ଆଣବିକ ପ୍ଲାଣ୍ଟ  ଗୁଡିକର ଲୋକାଲାଇଜେସନ୍ ବୃଦ୍ଧି ମଧ୍ୟ ଏହି କ୍ଷେତ୍ରରେ ଆମ ମଧ୍ୟରେ ଏକ ପ୍ରକୃତ ଭାଗିଦାରୀ ବିକାଶ କରୁଛି। ଦ୍ୱିତୀୟତଃ, ଆମେ ଆମର ସମ୍ପର୍କକୁ ରାଜଧାନୀ ବାହାରେ ଭାରତ ଏବଂ ରାଜଧାନୀ ବାହାରେ ଋଷର ଅଞ୍ଚଳକୁ ଗତି ପ୍ରଦାନ କରୁଛୁ।  ଏହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ଗୋଟିଏ ପଟେ ମୁଁ ଦୀର୍ଘ ଦିନ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଆସିଛି ଏବଂ ଋଷର ଅଞ୍ଚଳର ସାମର୍ଥ୍ୟ ଏବଂ ସମ୍ଭାବନା ବିଷୟରେ ରାଷ୍ଟ୍ରପତି ପୁଟିନ ମଧ୍ୟ ଅବଗତ ଅଛନ୍ତି। ତେଣୁ, ସ୍ବାଭାବିକ ଯେ ସେ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍ ଗଠନ ପରିକଳ୍ପନା କରିଥିଲେ ଏବଂ ଭାରତ ପରି ଏକ ବିବିଧ ଦେଶକୁ ଏହା ସହିତ ଯୋଡିବାର ମହତ୍ବ ବୁଝିଥିଲେ। ଆପଣ ଏହାକୁ ଯେତେ ପ୍ରଶଂସା କଲେ ମଧ୍ୟ ଏହା କମ୍ ହେବ।

ତାଙ୍କ ନିମନ୍ତ୍ରଣ ପାଇବା ପରେ ତୁରନ୍ତ, ଆମେ ବହୁତ ଗୁରୁତ୍ବର ସହିତ  ପ୍ରସ୍ତୁତ ହେବାକୁ ଲାଗିଲୁ । ଏଥିପାଇଁ ଭାରତର ବାଣିଜ୍ୟ ମନ୍ତ୍ରୀ, 4 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 150 ରୁ ଅଧିକ ବ୍ୟବସାୟୀ ଭ୍ଲାଡିଭୋଷ୍ଟୋକକୁ ଆସିଥିଲେ। ଫାର ଇଷ୍ଟର ସ୍ୱତନ୍ତ୍ର ଦୂତ ଏବଂ ଫାର ଇଷ୍ଟର ସମସ୍ତ 11 ଗଭର୍ଣ୍ଣରଙ୍କ ସହିତ ସାକ୍ଷାତ ବହୁତ ଭଲ ଫଳାଫଳ ପ୍ରଦାନ କରିଛି। ରାଜ୍ୟ ଏବଂ ଅଞ୍ଚଳ ମଧ୍ୟରେ ସମ୍ପର୍କ ଏକ ଢାଞ୍ଚା ପାଇପାରିଛି ଏବଂ କୋଇଲା, ହୀରା, ଖଣି, ରେୟାର ଅର୍ଥ, କୃଷି, କାଠ, ପଲ୍ପ ଏବଂ ପେପର ଏବଂ ପର୍ଯ୍ୟଟନ ଅନେକ ନୂତନ ସମ୍ଭାବନାକୁ ସୃଷ୍ଟି କରିଛି।

ଏବଂ ବର୍ତ୍ତମାନ ଚେନ୍ନାଇ ଏବଂ ଭ୍ଲାଡିଭୋଷ୍ଟୋକ ମଧ୍ୟରେ ଏକ ସାମୁଦ୍ରିକ ମାର୍ଗ ମଧ୍ୟ ଅଞ୍ଚଳଗୁଡିକ ମଧ୍ୟରେ ସଂଯୋଗ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ତୃତୀୟତଃ, ଆମେ ଆମର ଦ୍ୱିପାକ୍ଷିକ ସହଯୋଗକୁ ବହୁବିଧ ଭାବରେ ବିବିଧ କରିଛୁ ଏବଂ ଏଥିରେ ନୂତନ ବିଷୟକୁ ସାମିଲ୍ କରିଛୁ। ସମ୍ପ୍ରତି ଭାରତ ଏବଂ ଋଷ ମଧ୍ୟରେ କେବଳ ତୈଳ ଏବଂ ଗ୍ୟାସ କାରବାର ନୁହେଁ, ପରସ୍ପରର ହାଇଡ୍ରୋକାର୍ବନ କ୍ଷେତ୍ରରେ ଉଲ୍ଲେଖନୀୟ ନିବେଶ ହେଉଛି ମୁଖ୍ୟ ଆକର୍ଷଣ ଏବଂ ପ୍ରମୁଖ ବିଷୟ।

ଏହି କ୍ଷେତ୍ରରେ ସହଯୋଗ ପାଇଁ 5 ବର୍ଷର ରୋଡମ୍ୟାପ୍ ଏବଂ ଫାର ଇଷ୍ଟ ଏବଂ ଆର୍କଟିକରେ ହାଇଡ୍ରୋ-କାର୍ବନ୍ ଏବଂ ଏଲଏନଜି ସନ୍ଧାନରେ ସହଯୋଗ ପାଇଁ ସହମତି ପ୍ରକାଶ ପାଇଛି। ମହାକାଶରେ ଆମର ଦୀର୍ଘ ସହଭାଗୀତା ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି। ଭାରତର ମହାକାଶଚାରୀମାନେ ଗଙ୍ଗାଯାନ ପାଇଁ ଋଷରେ ତାଲିମ ଗ୍ରହଣ କରିବେ ଯାହାକି ହେଉଛି ଇଣ୍ଡିଆନ୍ ହ୍ୟୁମାନ ସ୍ପେସ୍ ଫ୍ଲାଇଟ୍‌। ପାରସ୍ପରିକ ନିବେଶର ପୂର୍ଣ୍ଣ ସମ୍ଭାବନା ହାସଲ କରିବାକୁ, ଆମେ ଶୀଘ୍ର ଏକ ନିବେଶ ସୁରକ୍ଷା ଚୁକ୍ତି କରିବାକୁ ସହମତ ହୋଇଛୁ। ଭାରତର ‘ଋଷିଆ ପ୍ଲସ୍ ଡେସ୍କ’ ଏବଂ ଋଷିଆର ଫାର ଇଷ୍ଟ ଇନଭେଷ୍ଟମେଣ୍ଟ ଆଣ୍ଡ ଏକ୍ସପୋର୍ଟ ଏଜେନ୍ସିର ମୁମ୍ବାଇ ଅଫିସ୍ ଏହି ପାରସ୍ପରିକ ନିବେଶକୁ ସହଜ କରିବ।

ବନ୍ଧୁଗଣ

ଆମର ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ପାଇଁ, ନୂତନ ଅଧ୍ୟାୟ ମଧ୍ୟ ଯୋଡାଯାଉଛି। ଦୁଇ ଦେଶ ମଧ୍ୟରେ ଥିବା ଟ୍ରାଇ-ସର୍ଭିସେସ୍ ଏକ୍ସରସାଇଜ୍ ‘ଇନ୍ଦ୍ର -2019’ ଆମର ବଢ଼ୁଥିବା ବିଶ୍ୱାସ ଏବଂ ଆତ୍ମବିଶ୍ୱାସର ପ୍ରତୀକ ଅଟେ। ଯେତେବେଳେ ଆବଶ୍ୟକତା ପଡେ, ଭାରତ ଏବଂ ଋଷ କେବଳ ଦୁନିଆର ସାଧାରଣ ସ୍ଥାନରେ ନୁହେଁ ଆଣ୍ଟାର୍କଟିକା ଏବଂ ଆର୍କଟିକରେ ମଧ୍ୟ ଏକାଠି କାମ କରନ୍ତି। ଉଭୟ ଦେଶ ଭଲ ଭାବରେ ଜାଣିଛନ୍ତି ଯେ ଆଜିର ଯୁଗରେ ଶାନ୍ତି ଏବଂ ସ୍ଥିରତା ପାଇଁ ମଲ୍ଟି ପୋଲାର ବିଶ୍ବର ଆବଶ୍ୟକତା ରହିଛି ଏବଂ ଏହାକୁ ନିର୍ମାଣ କରିବାରେ ଆମର ସହଯୋଗ ଏବଂ ସମନ୍ୱୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ତେଣୁ, ଆମେ ବ୍ରିକ୍ସ, ଏସସିଓ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ଫୋରମରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରୁ। ଆଜି ଆମର ଅନେକ ପ୍ରମୁଖ ବିଶ୍ବ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ଉନ୍ମୁକ୍ତ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି । ଭାରତ ଏପରି ଏକ ଆଫଗାନିସ୍ତାନ ଦେଖିବାକୁ ଚାହୁଁଛି ଯାହା ମୁକ୍ତ, ସୁରକ୍ଷିତ, ଅବିଭକ୍ତ, ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଅଟେ। ଆମେ କୌଣସି ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ବାହ୍ୟ ହସ୍ତକ୍ଷେପର ବିରୋଧ କରୁ। ଭାରତର ମୁକ୍ତ, ଖୋଲା ଏବଂ ଇଣ୍ଡୋ-ପାସିଫିକ୍ ର ବିଷୟ ଉପରେ ଆମର ଏକ ଫଳପ୍ରଦ ଆଲୋଚନା ମଧ୍ୟ ହୋଇଥିଲା। ଆମେ ସହମତ ଯେ ସାଇବର ସୁରକ୍ଷା, ଆତଙ୍କବାଦ ବିରୋଧୀ, ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ଭାରତ ଏବଂ ଋଷ ସହଯୋଗ ଆହୁରି ମଜବୁତ ହେବ। ଆସନ୍ତା ବର୍ଷ ବାଘ ସଂରକ୍ଷଣ ଉପରେ ଏକ ଉଚ୍ଚ ସ୍ତରୀୟ ଫୋରମ୍ ଆୟୋଜନ କରିବାକୁ ଭାରତ ଏବଂ ଋଷ ସହମତ ହୋଇଛନ୍ତି।

ଏହି ନିମନ୍ତ୍ରଣ ଏବଂ ସ୍ୱାଗତ ଅଭିବାଦନ ପାଇଁ ମୁଁ ପୁଣି ଥରେ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଆସନ୍ତାକାଲି ସେମାନଙ୍କ ସହିତ ଏବଂ ମୋର ଅନ୍ୟ ନେତାମାନଙ୍କ ସହିତ ମୁଁ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗଦେବାକୁ ଯାଉଛି। ଆସନ୍ତା ବର୍ଷ ବାର୍ଷିକ ସମ୍ମିଳନୀ ପାଇଁ ମୁଁ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତକୁ ଅପେକ୍ଷା କରିବି। 2020 ମସିହାରେ ଋଷ ଏସସିଓ ଏବଂ ବ୍ରିକ୍ସର ଅଧ୍ୟକ୍ଷତା କରିବ। ମୋର ବିଶ୍ୱାସ ଯେ ରାଷ୍ଟ୍ରପତି ପୁଟିନଙ୍କ ଅଧୀନରେ ଥିବା ଏହି ସଂଗଠନଗୁଡ଼ିକ ସଫଳତା ପାଇଁ ନୂତନ ରେକର୍ଡ ସ୍ଥାପନ କରିବେ। ଏଥିପାଇଁ ଭାରତ ଏବଂ ମୋର ମୋର ସମସ୍ତ ବ୍ୟକ୍ତିଗତ ସହଯୋଗ ରହିବ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।