ଟ୍ରମ୍ପ ଆମକୁ ଧୋକା ଦେଇଛନ୍ତି: ଆମେରିକାରେ ଇରାନ ତାତି

ଇରାନରେ ହୋଇଥିବା ଘାତକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ….

ୱାସିଂଟନ୍‌ ଡିସି: ସେ ଆମ ସହିତ ପ୍ରତାରଣା କରିଛନ୍ତି। ଆମ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଇରାନରେ ହୋଇଥିବା ଘାତକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ପ୍ରଦର୍ଶନକାରୀମାନେ ୱାସିଂଟନ୍‌ ଡିସି ହ୍ୱାଇଟ୍‌ ହାଉସ୍‌ ନିକଟରେ ପ୍ରତିବାଦ ସଭା କରିଛନ୍ତି। ପ୍ରତିବାଦରେ ସାମିଲ ଲୋକମାନେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମ ପାଇଁ ଏକ ସମ୍ଭାବ୍ୟ ଜୀବନରେଖା ପରି ମନେ ହେଉଥିଲେ। ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି, ଏହି ବିଶ୍ୱାସ ହିଁ ଆମର ପରବର୍ତୀ ପରିବର୍ତନକୁ ବିଶ୍ୱାସଘାତକତାର ଅନୁଭବ କରାଇଛି। ଟ୍ରମ୍ପଙ୍କ କଥା ଓ କାମରେ ବହୁ ଫରକ୍‌ ରହିଛି ବୋଲି ଅଭିଯୋଗ କରିଛନ୍ତି। ଇରାନରେ ଅଶାନ୍ତିର ପ୍ରାରମ୍ଭରେ, ଆମେରିକାର ରାଷ୍ଟ୍ରପତି ପ୍ରତିବାଦକାରୀଙ୍କୁ ସାର୍ବଜନୀନ ଭାବରେ ଉତ୍ସାହିତ କରିବା ସହିତ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିକୁ ଚେତାବନୀ ଦେଇଥିଲେ।
ଟ୍ରମ୍ପ ସୋସିଆଲ ମିଡିଆରେ ଘୋଷଣା କରିଥିଲେ, ସହାୟତା ଆସୁଛି। ଏହା ପରେ ଚେତାବନୀ ଦେଇଥିଲେ, ଯଦି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀମାନଙ୍କୁ କ୍ଷତି ପହଂଚାଯାଏ ତେବେ ଆମେରିକା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ। ଇରାନବାସୀ ଏହାକୁ ସମର୍ଥନ ପ୍ରତିଶ୍ରୁତି ଭାବିଥିଲେ।

ଯେତେବେଳେ ପ୍ରତିବାଦକାରୀ ପୁଣି ରାସ୍ତାକୁ ଓହ୍ଲାଇଲେ, ଇରାନ ସରକାର କଠୋର ରଣନୀତି ଆପଣେଇଲେ। ଯୋଗାଯୋଗ ବିଚ୍ଛିନ୍ନ କରିବା ସହ ସୁରକ୍ଷା ବାହିନୀ ମୁତୟନ କରି ଘାତକ ଶକ୍ତି ପ୍ରୟୋଗ କରିଥିଲେ। ପେଂଟାଗନ କିଛି ଅଣ-ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ମଧ୍ୟପ୍ରାଚ୍ୟରେ ଥିବା ଏକ ପ୍ରମୁଖ ଆମେରିକୀୟ ଘାଟି ଛାଡିବା ନିର୍ଦ୍ଦେଶ ଦେଇଥିବା ଖବରକୁ ଯୁଦ୍ଧର ପ୍ରସ୍ତୁତି ବୋଲି ଅନୁମାନ କରାଯାଉଥିଲା।

ମାତ୍ର ଏହାପରେ ପରିସ୍ଥିତି ଓଲଟି ଯାଇଥିଲା। ଟ୍ରମ୍ପ ଘୋଷଣା କରିଥିଲେ, ଇରାନର ନେତୃତ୍ୱ ତାଙ୍କୁ ହତ୍ୟା ଓ ମୃତ୍ୟୁଦଣ୍ଡ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଟ୍ରମ୍ପ ସଙ୍କେତ ଦେଇଥିଲେ, ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଆଉ ଆଗକୁ ବଢ଼ିବ ନାହିଁ। ୱାସିଂଟନ ହସ୍ତକ୍ଷେପ କରିବ ବୋଲି ବିଶ୍ୱାସ କରି ନିଜ ଜୀବନକୁ ବାଜି ଲଗାଇଥିବା ପ୍ରଦର୍ଶନକାରୀଙ୍କ ପାଇଁ ଏହି ଘୋଷଣା ଏକ ଶକ୍ତ ଆଘାତ ଭଳି ମନେ ହୋଇଥିଲା ଆମର ୧୫,୦୦୦ ଲୋକଙ୍କ ମୃତ୍ୟୁ ପାଇଁ ଟ୍ରମ୍ପ ଦାୟୀ ବୋଲି ପ୍ରଦଶନକାରୀ ଅଭିଯୋଗ କରିଛନ୍ତି। ଇରାନବାସୀଙ୍କ ପ୍ରତି ଏପରି ବିଶ୍ୱାସଘାତକତା କରିବା ପାଇଁ ଆମେରିକା ଇସଲାମିକ ଗଣରାଜ୍ୟ ଇରାନ ସହିତ ଏକ ଚୁକ୍ତି କରିଥିବ ବୋଲି ସେମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ଆମକୁ ବଳି ଛେଳି ଭାବେ ବ୍ୟବହାର କରିଛନ୍ତି। ସେ ଆମ ପାଦତଳୁ ମାଟି ଖସାଇ ଦେଇଛନ୍ତି। ଟ୍ରମ୍ପଙ୍କ ବକ୍ତବ୍ୟ ଆଶା ସୃଷ୍ଟି କରି ପ୍ରତିବାଦକାରୀଙ୍କ ନିଷ୍ପତିକୁ ସିଧାସଳଖ ପ୍ରଭାବିତ କରିଥିଲା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟ୍ରମ୍ପ ସମର୍ଥନ ହଟାଇନେଲେ। ସେ ଆମ ବିଷୟରେ ଚିନ୍ତା କରୁଥିବା ବିଷୟ ଡାହା ମିଛ। ନିଜେ ଖୋଳିଥିବା ଖାଲରେ ଟ୍ରମ୍ପ ପଡିଛନ୍ତି ବୋଲି କେତେକ ମତପୋଷଣ କରିଛନ୍ତି। ଇରାନରେ ଅଶାନ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେଉଥିବା ଟ୍ରମ୍ପ ଇରାନବାସୀଙ୍କ ବିଶ୍ୱାସ ହରାଇ ବସିଛନ୍ତି।