ବରିଷ୍ଠ ବ୍ୟକ୍ତିଙ୍କୁ ଲହୁଲୁହାଣ କଲେ ଦୁଇ ମହିଳା କନ୍ଷ୍ଟେବଲ
ଲୋକମାନେ ଦୁଇ ମହିଳା କନ୍ଷ୍ଟେବଲଙ୍କର ନିଷ୍ଠୁର ଆଚରଣକୁ ତୀବ୍ର ସମାଲୋଚନା କରିଛନ୍ତି…..
ପାଟନା: ସମାଜରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବାର ଗୁରୁଦାୟିତ୍ୱ ପୁଲିସ ପ୍ରଶାସନର । କିନ୍ତୁ ଖୋଦ ପୁଲିସ ଯଦି ଶୃଙ୍ଖଳାରକ୍ଷା ବାହାନାରେ ନିରୀହ ଓ ଦୁର୍ବଳ ବୟସ୍କ ବ୍ୟକ୍ତିଙ୍କ ଉପରେ କୋରଡ଼ାମାଡ଼ କରିବ, ଲୋକମାନେ ଆଉ କାହାଠାରୁ ନ୍ୟାୟ କାମନା କରିବେ ।
ସୂଚନା ମୁତାବକ ବିହାରର କୈମୁର ଜିଲ୍ଲାରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ଲାଠିମାଡ଼ କରିଛନ୍ତି ଦୁଇଜଣ ମହିଳା କନ୍ଷ୍ଟେବଲ । ଏମିତି ମାଡ଼ ମାରିଛନ୍ତି ଯେ ଲାଠି ଦୁଇଟି ଦରଭଙ୍ଗା ଅବସ୍ଥାକୁ ଚାଲିଯାଇଛି । ବିଚରା ଶିକ୍ଷକଜଣକ ହାତଯୋଡ଼ି ‘କ’ଣ ଭୁଲ କଲି’ ପଚାରିବା ସହ ବାରମ୍ବାର କହୁଥିଲେ ‘ଦୟା କରନ୍ତୁ’ କହୁଥିଲେ ମଧ୍ୟ ଥୟ ଧରି ନଥିଲେ ରାଗରେ ପାଚି ଯାଇଥିବା ଦୁଇ କନ୍ଷ୍ଟେବଲ । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଛି । ଲୋକମାନେ ଦୁଇ ମହିଳା କନ୍ଷ୍ଟେବଲଙ୍କର ନିଷ୍ଠୁର ଆଚରଣକୁ ତୀବ୍ର ସମାଲୋଚନା କରିଛନ୍ତି ।
ଘଟଣାଟି ଭଭୁଆ ସହର ଅନ୍ତର୍ଗତ ଜୟପ୍ରକାଶ ଚୌକ ନିକଟରେ ଘଟିଛି । ଦୁଇ ମହିଳା କନ୍ଷ୍ଟେବଲ ଜ୍ଞାନତି କୁମାରୀ ଓ ନନ୍ଦିନୀ କୁମାରୀଙ୍କୁ ଗୋଟିଏ ଛକ ନିକଟରେ ଯାତାୟାତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁହେଁ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରୁଥିଲା ବେଳେ ବରିଷ୍ଠ ଶିକ୍ଷକ ନବଲ କିଶୋର ଶର୍ମା ସାଇକେଲ ଚଳାଇ ସଡ଼କ ପାର ହେଉଥିଲେ ।
ମହିଳା କନ୍ଷ୍ଟେବଲ ଶିକ୍ଷକଙ୍କୁ ଅଟକିବାକୁ ଈଶାରା କଲେ । କିନ୍ତୁ ଶିକ୍ଷକ ଜଣକ ଅଟକିଲେ ନାହିଁ । ସେ କିଛି କହୁଥିବାର ଦେଖି ମହିଳା କନ୍ଷ୍ଟେବଲ ଭାବିଲେ ଯେ ବୃଦ୍ଧ ଜଣକ ତାଙ୍କୁ ଗାଳି ଦେଉଛନ୍ତି । ବାସ୍ ଆଉ କି ଅପେକ୍ଷା କରନ୍ତି ଦୁହେଁ । ଆରମ୍ଭ କରିଦେଲେ ଆଖିବୁଜା ଲାଠିମାଡ଼ । ଦେଖଣାହାରୀଙ୍କ ମନରେ ଦୟା ଆସୁଥିଲା ବୃଦ୍ଧ ଶିକ୍ଷକଙ୍କ ପ୍ରତି । ମାତ୍ର ଖାକି ପୋଷାକ ପିନ୍ଧା ଦୁଇ ମହିଳାଙ୍କ ଆଖିରେ ନା ଥିଲା କରୁଣା, ନା ଥିଲା ଟିକେ ବି ଅନୁଶୋଚନା ।