ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ପ୍ରଥମବର୍ଷ ଅଣ୍ଡରଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ସଂଶୋଧିତ ୟୁଜିସି ନିୟମାବଳୀ ଘୋଷଣା କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶଲାଲ୍ ପୋଖରିଆଲ ନିଶ ଏନେଇ ଘୋଷଣା କରିଛନ୍ତି ।
ନିୟମ ଅନୁସାରେ ଯୁଜି, ପିଜିରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଅକ୍ଟୋବର ୩୧ ସୁଦ୍ଧା ନାମ ଲେଖାଇପାରିବେ ଓ ନଭେମ୍ବର ୧ ରୁ ପଠପଢା ଆରମ୍ଭ ହେବ ।ଏନେଇ ଏକ ସ୍ୱତନ୍ତ୍ର ତାଲିକା ଘୋଷଣା କରାଯାଇଛି । ଏହି ନିୟମାବଳୀରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୨୦-୨୧ ଶିକ୍ଷା ବର୍ଷରେ ଯେଉଁ ଛାତ୍ରଛାତ୍ରୀ ମାନେ ନାଁ ଲେଖାଇବେ ସେମାନଙ୍କ ପାଇଁ ୨୦୨୧ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୨୬ ଯାଏ ପ୍ରଥମ ସେମିଷ୍ଟାର ପରୀକ୍ଷା କରାଯିବ । ଦ୍ୱିତୀୟ ସେମିଷ୍ଟାର ୨୨ ଅଗଷ୍ଟ ୨୦୨୧ ରୁ ୨୯ ଅଗଷ୍ଟ ୨୦୨୧ ମଧ୍ୟରେ ହେବ । ଏହାସହ ୩୦ ଅଗଷ୍ଟ ୨୦୨୧ ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ ।
ଚଳିତ ବର୍ଷ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ପାଠପଢା ସମୟ ନଷ୍ଟ ହୋଇଥିବାରୁ ଉଚ୍ଚଶିକ୍ଷାନୁଷ୍ଠାନ ମାନେ ସପ୍ତାହକୁ ୬ ଦିନ ପାଠ ପଢାଇ ଛାତ୍ରଛାତ୍ରୀଙ୍କ କୋର୍ସ ଶେଷ କରିବାକୁ ଉଦ୍ୟମ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଛୁଟି ଓ ବିରତି ସମୟକୁ ମଧ୍ୟ ହ୍ରାସ କରି ପାଠପଢାପାଇଁ ସମୟ ବାହାର କରିବେ ଉଚ୍ଚଶିକ୍ଷାନୁଷ୍ଠାନ ।