ନୂଆଦିଲ୍ଲୀ: ମନରେ ବହୁତ କିଛି ବଡ଼ ଆଶା ଭରସା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ପୁରୁଣା ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବା ପାଇଁ ୱାଶିଂଟନ୍ ଉଡ଼ି ଯାଇଥିଲେ । ପ୍ରଥମେ ଟ୍ରମ୍ପଙ୍କ ଆଗରେ ଗରାଖ ସାଜି ବିରାଟ ତାଲିକା ଧରାଇଲେ । ଟ୍ରମ୍ପଙ୍କ ମନଟା କୁରୁଳି ଉଠିଲା । ହ୍ୱାଇଟ୍ ହାଉସ୍ରେ ପାଦ ଦେବାର ମାତ୍ର କିଛିଦିନ ଭିତରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀ ତାଙ୍କ ଦରବାରରେ ହାଜିରା ପକାଇଛନ୍ତି । ୟା’ଠାରୁ ବଳି ବଡ଼ କଥା ଆଉ କ’ଣ ହୋଇପାରେ? ଆନନ୍ଦରେ ଗଦ୍ ଗଦ୍ ହୋଇ ଟ୍ରମ୍ପ ମୋଦିଜୀଙ୍କ ହାତ ଧରି ପାଖରେ ବସାଇଲେ । ଚା’ ବିସ୍କୁଟ୍ ଖୁଆଇଲେ । ଭାରତର ଲମ୍ବା ତାଲିକା ଅନ୍ତର୍ଭୁକ୍ତ ସାମଗ୍ରୀଗୁଡ଼ିକର ଦରଦାମ ଲେଖି ମୋଦିଜୀଙ୍କ ହାତକୁ ବଢ଼ାଇଦେଲେ । ୟେ ତ ଗଲା ବେପାର ବଣିଜ କଥା ।
ଏବେ ମୋଦିଜୀ ଟ୍ରମ୍ପଙ୍କ ନିକଟରୁ କିଛି ଟଙ୍କା ଉଧାର ଆଣିବାର ଅଭିଳାଷ ପୋଷଣ କଲେ । ଟଙ୍କା ଉଧାର ଶବ୍ଦ ଶୁଣିବା କ୍ଷଣି ଟ୍ରମ୍ପଙ୍କ ମୁହଁର ରଙ୍ଗ ବଦଳିଗଲା । ସେ ତତ୍କ୍ଷଣାତ୍ ମୋଦିଜୀଙ୍କ ହାତରୁ ଚା’ ପିଆଲାଟିକୁ ନେଇଗଲେ ।
ନିଜେ ଚଉକିରୁ ଉଠିପଡ଼ିଲେ । ଟ୍ରମ୍ପଙ୍କୁ ଠିଆ ହୋଇଯିବାର ଦେଖି ମୋଦିଜୀ ଠିଆ ହୋଇଗଲେ । ଟ୍ରମ୍ପ ମୋଦିଜୀଙ୍କ ହାତ ଧରି କହିଲେ, ବନ୍ଧୁ, ଆପଣଙ୍କ ପ୍ରତି ମୋ ମନରେ ପର୍ବତ ପ୍ରମାଣେ ଭଲ ପାଇବା ରହିଛି । ଭାରତ ପ୍ରତି ମୋ ମନରେ ଗଭୀର ଅନୁରାଗ ରହିଛି । ତା’ ମାନେ ନୁହେଁ ଯେ ଭାରତରେ ଭୋଟିଂ ଟର୍ଣ୍ଣ ଆଉଟ୍ କରିବା ପାଇଁ ମୋତେ ୨୧ ନିୟୁତ ଡଲାର ଗଣିବାକୁ ପଡ଼ିବ ।
ଏବେ ଏବେ କ୍ଷମତାକୁ ଆସିଛି, ଏତେ ଟଙ୍କା ଦେଇ ହେବନି । ଆପଣ ପରା ବେଶ କିଛି ବର୍ଷ ଧରି ଆପଣ ସାରା ବିଶ୍ୱରେ ପ୍ରଚାର କରି ଆସୁଛନ୍ତି ଯେ ଆପଣଙ୍କ ଅର୍ଥନୀତି କ୍ରମେ ମଜଭୁତ ହୋଇଛି ।
ଆଗାମୀ କେଇଟା ବର୍ଷ ଭିତରେ ଆପଣ ସାରା ବିଶ୍ୱଟାକୁ ଗିଳି ପକାଇବେ, ଏବେ ମୋ ଆଗରେ ଥାଳ ଧରି ଠିଆ ହୋଇଛନ୍ତି । ଆପଣଙ୍କ ଭଳି ଟାଣୁଆ ଲୋକ ହାତରେ ଭିକ୍ଷାଥାଳ ଆଦୌ ଶୋଭା ପାଉନି । ଯୋଉ ବାଟେ ଆସିଥିଲେ, ଦୟାକରି ଚାଲିଯାନ୍ତୁ ।
ଟ୍ରମ୍ପଙ୍କ ନିକଟରୁ ଏଭଳି ସରୁ ଚଟକଣି ଖାଇ ଫେରିବା ପରଠାରୁ ମୋଦିଜୀଙ୍କ ମନଟା ଆଦୌ ଭଲ ନାହିଁ । ଦିଲ୍ଲୀକୁ ଦଖଲ କରିବା ପରେ ତାଙ୍କ ମନରେ ଯୋଉ ସରାଗଟା ଥିଲା, ତାହା କ୍ରମେ ଉଭେଇ ଗଲାଣି । ଅଜାଗା ଘା’, ନିଜେ ଦେଖି ପାରୁନାହାନ୍ତି କି କାହାକୁ ଦେଖାଇ ପାରୁନାହାନ୍ତି ।