‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ କେନ୍ଦ୍ର କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ: ସାରା ଦେଶରେ ଏକା ସମୟରେ ଲୋକସଭା ଓ ବିଧାନସଭା କରିବା ପାଇଁ ଆଗତ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲଟି କେନ୍ଦ୍ର କ୍ୟାବିନେଟ୍‌ ସ୍ୱୀକୃତି ଲାଭ କରିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ବୈଷ୍ଣବଙ୍କ ସୂଚନା ମୁତାବକ ଅଧାରୁ ଅଧିକ ରାଜନୈତିକ ଦଳ ଏକକ ନିର୍ବାଚନ ବିଲକୁ ସାଦରେ ଗ୍ରହଣ କରିଛନ୍ତି । ବିଲଟିକୁ ତୀବ୍ର ସମାଲୋଚନା କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ କ୍ୱାଇସି ।

ତାଙ୍କ ମତରେ ଭାରତ ଭଳି ଦେଶରେ ଏକକ ନିର୍ବାଚନ ଲାଗୁ କରାଗଲେ, ସମ୍ବିଧାନରେ କେନ୍ଦ୍ର-ରାଜ୍ୟ ଶାସନ ବ୍ୟବସ୍ଥା ପ୍ରତି କୁଠାରଘାତ । ପୃଥକ ପୃଥକ ନିର୍ବାଚନ ବ୍ୟବସ୍ଥା କେବଳ ମୋଦି ଓ ଶାହଙ୍କୁ ଅଡୁଆ ଲାଗୁଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍‌ଗେ ମଧ୍ୟ ବିଲଟିକୁ ସହଜରେ ଗ୍ରହଣ କରିନାହାନ୍ତି । ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସୈନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚ ପ୍ରଶଂସା କରି କହିଛନ୍ତି, ଦେଶର ଦ୍ରୁତ ବିକାଶ କ୍ଷେତ୍ରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସହାୟକ ହେବ ।