ନୂଆଦିଲ୍ଲୀ: ଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ କବଳରୁ ବିଶ୍ୱକୁ ରକ୍ଷା କରିବା ପାଇଁ ଗଠନ କରାଯାଇଥିଲା ମିଳିତ ଜାତିସଂଘ । ମିଳିତ ଜାତିସଂଘର ୫ ଜଣ ସ୍ଥାୟୀ ସଦସ୍ୟଙ୍କ ହାତରେ ଅଖଣ୍ଡ କ୍ଷମତା ଧରାଇ ଦିଆଗଲା । ମାତ୍ର ଅଖଣ୍ଡ କ୍ଷମତାଶାଳୀ ଦେଶଗୁଡ଼ିକ ଭିତରୁ କେହି କୌଣସି ଦୁର୍ବଳ ରାଷ୍ଟ୍ର ଉପରେ ଆକ୍ରମଣ କଲେ; ସେମାନଙ୍କ ହାତରୁ ଅଖଣ୍ଡ କ୍ଷମତା ପ୍ରତ୍ୟାହାର କରିବାର ଶକ୍ତି ସାଧାରଣ ପରିଷଦକୁ ଦିଆଗଲା ନାହିଁ । ଯାହାର ପରିଣାମ ଆଜି ସାରା ବିଶ୍ୱକୁ ଭୋଗିବାକୁ ପଡୁଛି ।
ଶକ୍ତିଶାଳୀ ରୁଷିଆ କବଳରୁ ୟୁକ୍ରେନକୁ ରକ୍ଷା କରିବା ପାଇଁ ମିଳିତ ଜାତିସଂଘ ନିରୁପାୟ । ଦୀର୍ଘ ୬ ମାସ ହେବ ଶକ୍ତିଶାଳୀ ରୁଷିଆ ୟୁକ୍ରେନକୁ ହମ୍ଲା କରିଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ଜର୍ମାନ ପ୍ରଭୃତି ଦେଶଗୁଡ଼ିକ ନିରବଦ୍ରଷ୍ଟା ସାଜିଛନ୍ତି ।ୟୁକ୍ରେନ ଉପରେ ଅତର୍କିତ ଭାବେ ଆକ୍ରମଣ କଲା ରୁଷିଆ । ୟୁକ୍ରେନ ଆତ୍ମରକ୍ଷାମୂଳକ ପନ୍ଥା ଅବଲମ୍ବନ କଲା । ମାତ୍ର ବିଶ୍ୱର ପ୍ରମୁଖ ଗଣମାଧ୍ୟମ ତାକୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଭାବେ ପ୍ରଚାର କଲେ ।
ରୁଷିଆର ଉଗ୍ର ଆଭିମୁଖ୍ୟ ବଦଳାଇବା ପାଇଁ ମିଳିତ ଜାତିସଂଘ ଏକାଧିକ ପରାମର୍ଶ ଦେଇ ନିରାଶ ହେବାପରେ ସୁରକ୍ଷା ପରିଷଦ ବୈଠକ ଡାକିଲା । ସୁରକ୍ଷା ପରିଷଦର ଏକାଧିକ ବୈଠକ ପରେ ରୁଷିଆର ଆଚରଣ ଓ ଉଚ୍ଚାରଣ ଆହୁରି ଉଗ୍ର ହେବାକୁ ଲାଗିଲା । କିଛି ଦେଶ ରୁଷିଆ ଉପରେ ବାସନ୍ଦ ନୀତି ପ୍ରୟୋଗ କଲେ । ମାତ୍ର ତା’ର ପ୍ରଭାବ ରୁଷିଆକୁ ନିୟନ୍ତ୍ରିତ କରିପାରିଲାନି । ରୁଷିଆ-ୟୁକ୍ରେନ ଯୁଦ୍ଧ ପୁଣିଥରେ ଖରାପ ଆଡ଼କୁ ଗତି କରିଛି ।
ୟୁକ୍ରେନର କିଛି ଅଂଶକୁ ପୁତିନ ବଳପୂର୍ବକ ଭାବେ ରୁଷିଆରେ ମିଶାଇଦେବା ପରେ ୟୁକ୍ରେନ କ୍ରିମିଆ ସେତୁକୁ ଉଡ଼ାଇ ଦେଲା । କ୍ରିମିଆ ସେତୁ ଭାଙ୍ଗିଯିବା ପରେ ରୁଷ ରାଷ୍ଟ୍ରପତି ପୁତିନଙ୍କ ମୁଣ୍ଡ ଗରମ ହୋଇଗଲା । ସେ କାଳବିଳମ୍ବ ନକରି ୟୁକ୍ରେନ ରାଜଧାନୀ କିଭ ଉପରେ ଡ୍ରୋନ୍ ହମ୍ଲା କରିଛନ୍ତି । ସୋମବାର ଦିନ ୟୁକ୍ରେନ ଉପରେ ଶତାଧିକ ରକେଟ୍ ମାଡ଼ କରାଯିବା ଫଳରେ ବହୁ କୋଠା ମାଟିରେ ମିଶିଯାଇଛି । ୟୁକ୍ରେନ ପ୍ରଧାନମନ୍ତ୍ରୀଙ୍କ ସୂଚନା ମୁତାବକ ଶତାଧିକ ସହରରେ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି ।
ସୋମବାର ସକାଳେ କର୍ମମୁଖର କିଭ ଉପରେ ରୁଷସେନା ରକେଟ୍ ମାଡ଼ କରିବା ଫଳରେ କର୍ମସ୍ଥଳୀକୁ ଯାଉଥିବା ଲୋକମାନେ ବିବ୍ରତବୋଧ କରିଥିଲେ । ସପ୍ତାହକ ଭିତରେ ଦ୍ୱିତୀୟ ଥର ପାଇଁ ରୁଷିଆ ସାରା ୟୁକ୍ରେନ୍କୁ ଟାର୍ଗେଟ୍ କରିଛି । ରୁଷିଆର ଡ୍ରୋନ୍ ଆକ୍ରମଣକୁ ବିଫଳ କରିବାକୁ ୟୁକ୍ରେନ୍ ସେନା ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି ।
ସଦ୍ୟ ସୂଚନା ମୁତାବକ କିଭ ଏକପ୍ରକାର ଧ୍ୱଂସମୁଖରେ ପଡ଼ିଯାଇଛି । ଆମେରିକା ସମେତ କିଛି ଦେଶ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା କରୁଥିଲେ ମଧ୍ୟ ରୁଷିଆ କବଳରୁ ୟୁକ୍ରେନକୁ ରକ୍ଷା କରିବା ପାଇଁ ବିକଳ୍ପ ବାଟ ଫିଟୁନାହିଁ । ମିଳିତ ଜାତିସଂଘର ସବୁ ଉଦ୍ୟମକୁ ରୁଷିଆ ବିଫଳ କରିଦେଉଛି ବ୍ରହ୍ମାସ୍ତ୍ର ‘ଭିଟୋ’ ବଳରେ ।