ୟୁଏନଏସସିର ବୈଠକର ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ଭାରତ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ୱ ଆଗାମୀ ମାସକ ପର୍ୟ୍ୟନ୍ତ ସଭାପତି ଦାୟିତ୍ୱ ତୁଲାଇବ । ଏହି ସମୟ ମଧ୍ୟରେ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ ଭାରତ । ଭାରତର ଅଧ୍ୟକ୍ଷତା ସମୟରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢେଇକୁ ତ୍ୱରାନ୍ୱିତ କରିବା ଆଦି ଫୋକସ୍‌ରେ ରହିବ । ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ୍‌ ତିରୁମୂର୍ତ୍ତି ଜାତିସଂଘ ମୁଖ୍ୟଙ୍କୁ ଭାରତର ରଣନୀତି ସଂପର୍କରେ ଅବଗତ କରାଇଛନ୍ତି । ସେହିଭଳି ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଅକବରୂଦ୍ଦିନ କହିଛନ୍ତି କି, ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ନିରାପତ୍ତା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ୧୯୯୨ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ସୁରକ୍ଷା ପରିଷଦ ବୈଠକରେ ସାମିଲ ହୋଇଥିଲେ । ସେ ଆହୁରି କହିଛନ୍ତି କି ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିଲେ ବି ଏହା ଭାରତ ପାଇଁ ଐତିହାସିକ ସଫଳତା । ଜାତିସଂଘ ନିରାପତ୍ତା ପରିଷଦରେ ୧୫ଟି ଦେଶ ସାମିଲ ଅଛନ୍ତି । ଯେଉଁଥିରେ ୫ଟି ସ୍ଥାୟୀ ଓ ୧୦ଟି ଦେଶ ଅସ୍ଥାୟୀ ସଦସ୍ୟତା ପାଇଛନ୍ତି । ଏହି ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟତା ପାଇଛି । ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ୨ ବର୍ଷର କାର୍ୟ୍ୟକାଳ ମିଳିଛି, ଯାହାକି ଜାନୁଆରି ପହିଲା ୨୦୨୧ରୁ ଆରମ୍ଭ ହୋଇଛି ।