୯୦ ବର୍ଷୀୟା ପତ୍ନୀଙ୍କ ମୃତ୍ୟୁ ଖବର ଶୁଣି ଚଉକି ଉପରେ ବସିଥିବା ଅବସ୍ଥାରେ ଟଳିପଡ଼ିଲେ ୯୩ ବର୍ଷୀୟ ସ୍ୱାମୀ । ଆଖି ବୁଜିବା ପୂର୍ବରୁ ବୃଦ୍ଧ ଦଲୀପ ସିଂଙ୍କ ମୁହଁରୁ ଗୋଟିଏ ଶବ୍ଦ ବାହାରିଥିଲା, ‘ଚାଲିଗଲୁ’ । ପରିବାର ଲୋକ ଦୁଇଜଣଙ୍କୁ ମଶାଣିକୁ ନେଇ ଗୋଟିଏ ଜୁଇ ପ୍ରସ୍ତୁତ କଲେ । ଗୋଟିଏ ଜୁଇରେ ଦୁଇଜଣଙ୍କୁ ପୋଡ଼ିଥିଲେ । ଗ୍ରାମବାସୀ ସେମାନଙ୍କ ମରଣକୁ ଆନନ୍ଦର ସହିତ ମନାଇଥିଲେ । ବିଭିନ୍ନ ରଙ୍ଗର ବେଲୁନ କିଣି ସେଗୁଡ଼ିକ ଫୁଙ୍କି ଆକାଶକୁ ଛାଡ଼ିଥିଲେ ।
ଦଲୀପଙ୍କ ପୁଅ ଫୁଲ ସିଂ କହନ୍ତି, ବୁଧବାର ଦିନ ସକାଳେ ସବୁଦିନ ଭଳି ତାଙ୍କ ପତ୍ନୀ ଶାଶୁ-ଶଶୁରଙ୍କୁ ଚା’ ଯାଚିଥିଲେ । ମା’ ସୁର୍ଜୀ ଦେବୀ ଚା’ ପିଇବାକୁ ମନାକଲେ । ବାପା ଚା’ କପ୍ଟିକୁ ବୋହୂ ହାତରୁ ନେଇ ତାଙ୍କ ରୁମକୁ ଚାଲିଗଲେ । ତହୁଁ ବୋହୂ ଶାଶୁଙ୍କ ନିକଟକୁ ଆସି ଦେଖିଲେ ସେ ନିଶ୍ଚଳ ହୋଇ ପଡ଼ି ରହିଛନ୍ତି । ଯେତେ ଡାକିଲେ ମଧ୍ୟ କିଛି ଜବାବ ଦେଉନାହାନ୍ତି । ସେ ତୁରନ୍ତ ଫୁଲ ସିଂଙ୍କୁ ଡାକ ପକାଇଲେ । ସଙ୍ଗେ ସଙ୍ଗେ ଗାଁ ଡାକ୍ତରଙ୍କୁ ଡକାଗଲା । ଡାକ୍ତର ଆସି ସୁର୍ଜୀ ଦେବୀଙ୍କ ନାଡ଼ି ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।