ଡେଲ୍‌ଟା ପାଇଁ ଆମେରିକାରେ ଭୟଙ୍କର ସ୍ଥିତି

ୱାସିଂଟନ୍‌ : ମହାମାରୀ କରୋନାର ଦ୍ଵିତୀୟ ଲହାରରେ ସଂକ୍ରମଣ ସାମାନ୍ୟ କମିଥିବା ବେଳେ ଏବେ ଡେଲ୍‌ଟା ସଂକ୍ରମଣ ଆତଙ୍କ ଖେଳାଇଛି । ଡେଲ୍‌ଟା ପ୍ରଜାତି ପାଇଁ ଆମେରିକାରେ ଦୈନିକ ସଂକ୍ରମଣ ମାମଲା ‌ଗତ ୧୦ ଦିନ ହେବ ୧ ଲକ୍ଷରୁ ଅଧିକ ରହୁଥିବାରୁ ଭୟଙ୍କର ସ୍ଥିତି ଉପୁଜିଛି । ଜୁନ୍‌ ତୁଳନାରେ ଦୈନିକ ସଂକ୍ରମଣ ମାମଲା‌ରେ ୧୦ ଗୁଣା ବୃଦ୍ଧି ଘଟିବା ଆମେରିକା ପ୍ରଶାସନ ପାଇଁ ଘୋର ଚିନ୍ତାର କାରଣ ହୋଇଛି ।ଆମେରିକା ସହ ବ୍ରିଟେନ୍‌, ରୁଷ୍‌ ଏବଂ ଜର୍ମାନୀରେ ମଧ୍ୟ ଡେଲ୍‌ଟା ପାଇଁ ଭୟଙ୍କର ଭାବେ ସଂକ୍ରମଣ ବଢ଼ୁଛି । ବ୍ରିଟେନ୍‌ରେ ମଧ୍ୟ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା। ଆମେରିକା ଏବେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନେଉଛି। ଗୁରୁବାର ୧ ଲକ୍ଷ ୩୨ ହଜାର ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବାପରେ ଶୁକ୍ରବାର ସରକାର ବୁଷ୍ଟର୍‌ ଡୋଜ୍‌କୁ ମଂଜୁରି ଦେଇଛନ୍ତି। ଦେଶର ୯୦ ପ୍ରତିଶତ ଅଂଚଳରେ ସଂକ୍ରମଣ ବଢ଼ୁଛି ଏବଂ ସରକାର ନୂଆ କଟକଣା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆମେରିକାରେ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା ବୋଲି ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) କହିଛି। ରିପୋର୍ଟ ଅନୁସାରେ, ହସ୍ପିଟାଲରେ ପ୍ରତିଦିନ ପ୍ରାୟ ୧୨ ହଜାର କୋଭିଡ୍‌ ରୋଗୀ ଭର୍ତ୍ତି ହେଉଛନ୍ତି। ଶିଶୁଙ୍କ ପାଇଁ ମଧ୍ୟ କୋଭିଡ୍‌ ଆଇସିୟୁ ବେଡ୍‌ ଅଭାବ ଦେଖାଦେଇଛି।